ଉତ୍ତମ ଶିକ୍ଷା ଏବଂ ଚାକିରି ପାଇଁ ବିଶ୍ୱର ୧ ନମ୍ବର ସ୍ଥାନ ଅଧିକାର କରିଛି ସ୍ବିଜରଲ୍ୟାଣ୍ଡ୍
ହେନଲେ ଅପର୍ଚୁନିଟି ଇଣ୍ଡେକ୍ସ-୨୦୨୬ (Henley Opportunity Index-2026)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଉତ୍ତମ ଶିକ୍ଷା ଏବଂ ଚାକିରି ପାଇଁ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଭଲ ପାଠପଢ଼ା ଏବଂ ଚାକିରି ପାଇଁ ସବୁବେଳେ ଆଗରେ ରହୁଥିବା ଆମେରିକା (US) ଏବଂ ବ୍ରିଟେନ (UK) ଭଳି ଶକ୍ତିଶାଳୀ ଦେଶ ଶ୍ରେଷ୍ଠ ୩ଟି ସ୍ଥାନରେ ମଧ୍ୟ ନିଜର ସ୍ଥାନ ସୁରକ୍ଷିତ କରିପାରିନାହାଁନ୍ତି।
ଏହି ସୂଚକାଙ୍କ ଅନୁଯାୟୀ, ୮୬ ପ୍ରତିଶତ ସ୍କୋର ସହ ସ୍ବିଜରଲ୍ୟାଣ୍ଡ୍ ବିଶ୍ୱର ୧ ନମ୍ବର ସ୍ଥାନ ଅଧିକାର କରିଛି। ଏଠାରେ ବ୍ୟାଙ୍କିଙ୍ଗ୍, ଫାର୍ମାସ୍ୟୁଟିକାଲ୍ସ ଏବଂ କମୋଡିଟି କ୍ଷେତ୍ରରେ କ୍ୟାରିୟର ଗଠନ ପାଇଁ ବିପୁଳ ସୁଯୋଗ ରହିଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ସିଙ୍ଗାପୁର (୮୧%) ଏବଂ ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ (୮୦%) ରହିଛନ୍ତି।
କେଉଁ ଆଧାରରେ ପ୍ରସ୍ତୁତ ହୁଏ ରିପୋର୍ଟ ?
ଏହି ରିପୋର୍ଟ କୌଣସି ଦେଶର ଜିଡିପି (GDP)କୁ ଦେଖି ନୁହେଁ ବରଂ ସେଠାରେ ରହୁଥିବା ସାଧାରଣ ଲୋକଙ୍କ ନିଜର ପରିଶ୍ରମ ଓ ଦକ୍ଷତା ଆଧାରରେ ଆଗକୁ ବଢ଼ିବାର ସୁଯୋଗକୁ ବିଚାର କରି ପ୍ରସ୍ତୁତ କରାଯାଇଥାଏ। ଏହି ରାଙ୍କିଂ ପ୍ରସ୍ତୁତ କରିବା ପାଇଁ ଶିକ୍ଷାର ଗୁଣବତ୍ତା, ରୋଜଗାର ଏବଂ କ୍ୟାରିୟରର ସୁଯୋଗ, ଆୟ କରିବାର କ୍ଷମତା, ଜୀବନଶୈଳୀର ମାନ, ସାମାଜିକ ସୁରକ୍ଷା ଏବଂ ନୂତନ ବ୍ୟବସାୟ ଆରମ୍ଭ କରିବାର ସୁବିଧାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଏ।
ବିଶ୍ୱର ଶ୍ରେଷ୍ଠ ତାଲିକାରେ ଥିବା ପ୍ରମୁଖ ଦେଶ ଓ ସେମାନଙ୍କ ସ୍ଥାନ:
୧. ସ୍ୱିଜରଲ୍ୟାଣ୍ଡ (୮୬%)- ବ୍ୟାଙ୍କିଙ୍ଗ୍ ଏବଂ ଫାର୍ମା କ୍ଷେତ୍ର ପାଇଁ ଶ୍ରେଷ୍ଠ।
୨. ସିଙ୍ଗାପୁର (୮୧%) – ଫିନଟେକ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ପାଇଁ ହବ୍।
୩. ଅଷ୍ଟ୍ରେଲିଆ (୮୦%) – ସ୍ୱାସ୍ଥ୍ୟ ସେବା ଏବଂ ଅକ୍ଷୟ ଶକ୍ତି (Renewable Energy) ପାଇଁ ଆଗଧାଡ଼ିର ଦେଶ।
୪. ବ୍ରିଟେନ (୭୯%) – ଆର୍ଥିକ ସେବା ଓ କ୍ରିଏଟିଭ୍ ସେକ୍ଟର ପାଇଁ ଚତୁର୍ଥ ସ୍ଥାନ।
୫. ଆମେରିକା (୭୯%) – ଟେକ୍ନୋଲୋଜି ଇକୋସିଷ୍ଟମ୍ ପାଇଁ ଚତୁର୍ଥ ସ୍ଥାନ।
୬. କାନାଡ଼ା (୭୮%) – ଆନ୍ତର୍ଜାତୀୟ ଶ୍ରମ ବଜାର ଏବଂ ଆଇଟି ସେକ୍ଟର ପାଇଁ ପଞ୍ଚମ ସ୍ଥାନ।
ଏହା ବ୍ୟତୀତ ଅଷ୍ଟ୍ରିଆ, ସଂଯୁକ୍ତ ଆରବ ଏମିରେଟ୍ସ (UAE), ନ୍ୟୁଜିଲ୍ୟାଣ୍ଡ ଏବଂ ହଂକଂ ଭଳି ଦେଶ ମଧ୍ୟ ଏହି ଶ୍ରେଷ୍ଠ ୧୫ଟି ଦେଶ ମଧ୍ୟରେ ସ୍ଥାନ ପାଇଛନ୍ତି। ସ୍ୱିଜରଲ୍ୟାଣ୍ଡରେ ରହିବା ଏବଂ ଖର୍ଚ୍ଚ ଅଧିକ ଥିବାବେଳେ, ଅଷ୍ଟ୍ରେଲିଆ ଏବଂ କାନାଡ଼ା ଭଳି ଦେଶରେ କମ୍ ପ୍ରତିଯୋଗିତା ଏବଂ ସୁଲଭ ଖର୍ଚ୍ଚ ଯୋଗୁଁ ଏହା ବର୍ତ୍ତମାନ ଯୁବପିଢ଼ିଙ୍କ କ୍ୟାରିୟର ଗଠନ ପାଇଁ ସବୁଠାରୁ ଆକର୍ଷଣୀୟ କେନ୍ଦ୍ର ପାଲଟିଛି।