ସମସ୍ତ ସାମୁଦ୍ରିକ ପଥ ସୁରକ୍ଷିତ ରହିବା ଦରକାର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜି -୭ ସମ୍ମିଳନୀରେ ଯୋଗ ଦେବାକୁ ଫ୍ରାନ୍ସରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ସେ ସମ୍ମିଳନୀରେ ନିଜର ଉଦବୋଧନ ମଧ୍ୟ ଦେଇଛନ୍ତି । ଉଦବୋଧନ ପୂର୍ବରୁ ବିଶ୍ୱର ଅନେକ ଟପ୍ ନେତାଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଥିଲେ । ଏହାପରେ ନିଜ ଉଦବୋଧନରେ ସେ ପରୋକ୍ଷରେ ଅନେକ ଶକ୍ତିଶାଳୀ ଦେଶର ଏକଚାଟିଆ ନୀତିକୁ ସମାଲୋଚନା କରିଛନ୍ତି ।
ମୋଦୀ ନିଜ ଉଦବୋଧନରେ ଭାରତୀୟ ନାବିକଙ୍କ ଦୁର୍ଦ୍ଦଶା ବାବଦରେ କହିଛନ୍ତି । ଏହାସହ କହିଛନ୍ତି ଯେ, ସମସ୍ତ ସାମୁଦ୍ରିକ ପଥ ସୁରକ୍ଷିତ ରହିବା ଦରକାର । ଏଦିଗରେ ସମସ୍ତେ ଧ୍ୟାନ ଦିଅନ୍ତୁ । ପରିବହନ ବିନା ଭୟରେ ସମ୍ପାଦିତ ହେବା ଉଚିତ । ମଧ୍ୟପ୍ରାଚ୍ୟର ଉତ୍ତଜେନା କେବଳ ଅର୍ଥନୈତିକ ସଙ୍କଟ ଆଣିନି । ବରଂ ସାଧାରଣ ଲୋକଙ୍କ ଜୀବନ ନେଇଛି । ସମୁଦ୍ରରେ କାର୍ଯ୍ୟ କରୁଥିବା ଅନେକ ଭାରତୀୟ ପ୍ରାଣ ହରାଇଛନ୍ତି ।
ଏହାସହ ସେ ପ୍ରକାଶ କରିଛନ୍ତି ଯେ, ଭାରତ ଶାନ୍ତି ଚୁକ୍ତିକୁ ସ୍ୱାଗତ କରୁଛି । ଭାରତର ବନ୍ଧୁ ରାଷ୍ଟ୍ରରେ ଅନେକ ଧନଜୀବନ ଯାଇଛି । ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଘଟିଥିବା ଉତ୍ତେଜନା ସାରା ବିଶ୍ୱରେ ପ୍ରଭାବ ପକାଇଛି । ସମୁଦ୍ରରେ କିପରି ସୁରକ୍ଷିତ ଭାବେ ଜାହାଜ ପରିବହନ ହୋଇପାରିବ ତାହା ସମସ୍ତଙ୍କ ଦାୟିତ୍ୱ ।ମୋଦୀଙ୍କ ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ କିଛି ଦିନ ତଳେ ତିନି ଭାରତୀୟ ନାବିକ ଗଲଫ୍ ଅଫ୍ ଓମାନରେ ପ୍ରାଣ ହରାଇଥିଲେ । ଇରାନ ଏବଂ ଆମେରିକା ଯୁଦ୍ଧରେ ବର୍ଷା ହେଉଥିବା ମିସାଇଲ ଏବଂ ବୋମା ପାଇଁ ସେମାନଙ୍କ ଜୀବନ ଯାଇଥିଲା । ସେମାନେ ଏକ ଜାହାଜରେ ଗଲଫ୍ ଅଫ୍ ଓମାନ ଅତିକ୍ରମ କରୁଥିଲେ । ଜାହାଜରେ ୨୪ ଜଣ ଭାରତୀୟ ସଦସ୍ୟ ଥିଲେ । କିନ୍ତୁ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା ।