ଡଲାରକୁ ବାଦ ଦେଇ ଆମ ଜାତୀୟ ମୁଦ୍ରାରେ କାରବାର ପାଇଁ ଭାରତ ସହ ଆମର ବୁଝାମଣା ହେଉଛି- ରୁଷ ବିଦେଶ ମନ୍ତ୍ରୀ ସେର୍ଗେଇ ଲାଭରୋଭ

ଭୂ-ରାଜନୈତିକ ପରିବର୍ତ୍ତନ ଭିତରେ ସବୁ ଦେଶ ନିଜ ବିଦେଶ ନୀତିର ସମୀକ୍ଷା କରିବା ସହ ଏହାକୁ ନୂଆ ରୂପ ଦେଉଛନ୍ତି । ଏହି କ୍ରମରେ ବିଭିନ୍ନ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକର ଧାରା ମଧ୍ୟ ବଢିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବର୍ଷ ଶେଷରେ ରୁଷ ଗସ୍ତ କରିବେ । ରୁଷ ବିଦେଶ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଆଗାମୀ ବ୍ରିକ୍ସ ସମିଟ୍ ପୂର୍ବରୁ ଦୁଇ ଦେଶ ସମ୍ପର୍କକୁ ମଜଭୁତ କରିବା ଦିଗରେ ପଦକ୍ଷେପ ନେବେ ।

ବ୍ରିକ୍ସ ବିଦେଶ ମନ୍ତ୍ରୀଙ୍କ ବୈଠକ ପରେ ଲାଭରୋଭ କହିଛନ୍ତି, ମସ୍କୋ ନୂଆଦିଲ୍ଲୀ ସହିତ ତାର ସମ୍ପର୍କକୁ ଏକ “ବିଶେଷାଧିକାରପ୍ରାପ୍ତ ରଣନୈତିକ ସହଯୋଗୀ” ଭାବରେ ଦେଖୁଛି । ଏହାସହ ବହୁବିଧ କ୍ଷେତ୍ରରେ ସହଯୋଗ ବିସ୍ତାର କରିବାକୁ କାର୍ଯ୍ୟ କରୁଛି । ସେ କହିଛନ୍ତି, “ଆମେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି କରୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ରୁଷ ଫେଡେରେସନ ଗସ୍ତ କରିବା କଥାକୁ ଦୋହରାଇଛନ୍ତି । ଆମେ ଏହି ଉଚ୍ଚସ୍ତରୀୟ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି କରିବୁ ।”

ଲାଭରୋଭ ଗୁରୁତ୍ୱ ଦେଇଛନ୍ତି, ଦୁଇ ଦେଶ ମଧ୍ୟରେ ସହଯୋଗ ବିଭିନ୍ନ କ୍ଷେତ୍ରରେ ବ୍ୟାପ୍ତ ଏବଂ ଏହା ନିରନ୍ତର ଭାବେ ବଢି ଚାଲିଛି । ଉଭୟ ଦେଶ ଧୀରେ ଧୀରେ ନିଜ ଜାତୀୟ ମୁଦ୍ରାରେ ସେମାନଙ୍କର ଦ୍ୱିପାକ୍ଷିକ ବାଣିଜ୍ୟ ସମାଧାନ କରିବାକୁ ଅଗ୍ରସର ହେଉଛନ୍ତି । ସେ କହିଛନ୍ତି, ଡଲାରକୁ ବାଦ ଦେଇ ଆମ ଜାତୀୟ ମୁଦ୍ରାରେ କାରବାର ପାଇଁ ଭାରତ ସହ ଆମର ବୁଝାମଣା ହେଉଛି ।

ଲାଭରୋଭ ଆହୁରି କହିଛନ୍ତି ଯେ ରୁଷ ଭାରତର ସମସ୍ତ ଆଗ୍ରହୀ କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ପାଇଁ ସମ୍ପୂର୍ଣ୍ଣ ଖୋଲା ଅଛି । ଦ୍ୱିପାକ୍ଷିକ ସମ୍ପର୍କରେ ମଧ୍ୟ ବଡ଼ ପ୍ରତିବନ୍ଧକ ଆଶା କରେ ନାହିଁ । ସେ କହିଛନ୍ତି, ଆମର ଭାରତୀୟ ଅଂଶୀଦାରମାନେ ଯେଉଁ କ୍ଷେତ୍ର ପ୍ରତି ଆଗ୍ରହୀ ତାଙ୍କ ପାଇଁ ତାହା ଖୋଲା ଅଛି ।

Leave a comment