ସ୍ୱିଡେନର ରେ ମୋଦୀ ,ମୋଦୀଙ୍କ ଏହି ଗସ୍ତର ଭୂ-ରାଜନୈତିକ ଗୁରୁତ୍ଵକୁ ଦର୍ଶାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୫ଟି ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ରବିବାର ସ୍ଵିଡେନ ଗସ୍ତ କରିଛନ୍ତି। ସ୍ୱିଡେନର ପ୍ରମୁଖ ସହର ଗୋଥେନବର୍ଗର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ଵିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ ନିଜେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ପିଏମ ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଏବଂ ନେଦରଲ୍ୟାଣ୍ଡ ଗସ୍ତ ଶେଷ କରିବା ପରେ ସ୍ଵିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଦୁଇ ଦିନିଆ ସ୍ଵିଡେନ ଗସ୍ତରେ ଯାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ସ୍ଵିଡେନ ଆକାଶମାର୍ଗରେ ପ୍ରବେଶ କରିବା ମାତ୍ରେ ସ୍ଵିଡେନ ବାୟୁସେନାର ସ୍ପେଶାଲ ‘ଗ୍ରୀପେନ’ ଯୁଦ୍ଧ ବିମାନ (Gripen Fighter Jets) ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଆଦରର ସହ ପାଛୋଟି ଆଣିଥିଲା। ମୋଦୀଙ୍କ ଏହି ଗସ୍ତର ଭୂ-ରାଜନୈତିକ ଗୁରୁତ୍ଵକୁ ଦର୍ଶାଉଛି।

ଏଭଳି ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତା ପ୍ରକାଶ କରି ଏକ୍ସରେ ପୋଷ୍ଟ କରି ଧନ୍ୟବାଦ ଦେଇଛନ୍ତି। ମୋଦୀ ଲେଖିଛନ୍ତି “ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନଙ୍କ ଗୋଥେନବର୍ଗ ବିମାନବନ୍ଦରରେ ମୋତେ ସ୍ୱାଗତ କରିବା ପାଇଁ ମୁଁ କୃତଜ୍ଞ। ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ସମୟରେ ଭାରତ ଏବଂ ସ୍ୱିଡେନ ମଧ୍ୟରେ ବନ୍ଧୁତାକୁ ସୁଦୃଢ଼ କରିବା ଅପେକ୍ଷାରେ ଅଛି।”

ମୋଦୀଙ୍କର ଏହି ଦୁଇ ଦିନିଆ ଗସ୍ତ କାଳରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ମୁଖ୍ୟତଃ ନିମ୍ନଲିଖିତ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯିବ:

ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ: ଭାରତ ଏବଂ ସ୍ୱିଡେନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଅଧିକ ବୃଦ୍ଧି କରିବା। (୨୦୨୫ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ $୭.୭୫ ବିଲିୟନ ଡଲାରରେ ପହଞ୍ଚିଛି)।

ପ୍ରତିରକ୍ଷା ଓ ପ୍ରଯୁକ୍ତିବିଦ୍ୟା: ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ସ୍ପେସ୍ କୋଅପରେସନ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ।
ଭବିଷ୍ୟତର ଟେକ୍ନୋଲୋଜି: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ଗ୍ରୀନ୍ ଟ୍ରାଞ୍ଜିସନ (ସବୁଜ ଶକ୍ତି), ଷ୍ଟାର୍ଟ-ଅପ୍ସ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା।

ୟୁରୋପୀୟ ବ୍ୟବସାୟୀଙ୍କ ସହ ବୈଠକ: ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନ ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ସହ ମିଶି ‘ୟୁରୋପିଆନ୍ ରାଉଣ୍ଡ ଟେବୁଲ୍ ଫର ଇଣ୍ଡଷ୍ଟ୍ରି’ (European Round Table for Industry) ର ଶୀର୍ଷ ବ୍ୟବସାୟୀ ଓ ସିଇଓ (CEO) ମାନଙ୍କୁ ସମ୍ବୋଧିତ କରିବେ, ଯାହା ଭାରତ ଓ ୟୁରୋପ ମଧ୍ୟରେ ନିବେଶ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୮ ମସିହାରେ ପ୍ରଥମ ଭାରତ-ନର୍ଡିକ ଶିଖର ସମ୍ମିଳନୀ ପାଇଁ ସ୍ୱିଡେନ ଗସ୍ତ କରିଥିଲେ। ଚଳିତ ଗସ୍ତ ଦୁଇ ଗଣତାନ୍ତ୍ରିକ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂଆ ଦିଗ ଦେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସ୍ୱିଡେନ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରୱେ ଏବଂ ଇଟାଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Leave a comment