ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ

ମିନିଆପଲିସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଦୋକାନବଜାର ବନ୍ଦ ରହିଥିତ୍ବା ଦେଖାଯାଇଛି। ଇଣ୍ଟେନ୍‌ସିଭ୍‌ କେୟାର ନର୍ସ ଆଲେକ୍ସ ପ୍ରେଟ୍ଟି ହତ୍ୟା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ବିକ୍ଷୋଭ ଜାରି ରହିଛି। ଆପ୍ରବାସନକୁ ନେଇ ସୀମାନ୍ତ ପାଟ୍ରୋଲ ଅଫିସରମାନେ ଚଢ଼ାଉ ଚଳାଇଥିବାବେଳେ ଆଲେକ୍ସ ନିଜ ସେଲ୍‌ଫୋନ୍‌ରେ ଏହାକୁ ରେକର୍ଡ କରିବାରୁ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଗତ ୭ ତାରିଖରେ ଆପ୍ରବାସନ ଓ ସୀମାଶୁଳ୍କ ପ୍ରବର୍ତ୍ତନ ଅଧିକାରୀମାନେ ରେନୀ ଗୁଡ୍‌ ନାମକ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଦ୍ୱୈତ ନଗରୀର ଜନସାଧାରଣ ଆପ୍ରବାସନ ଚଢ଼ାଉ ବିରୋଧରେ ଏକାଠି ହେବାକୁ ଓ ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ବନ୍ଦ ପାଳନ ପାଇଁ ଅନେକ ବ୍ୟବସାୟୀ ସ୍ବତଃ ଘୋଷଣା କରିଛନ୍ତି। ଆରିଜୋନା ଏବଂ କଲରାଡୋରେ କେତେକ ସ୍କୁଲ୍‌ରେ କ୍ଲାସ୍‌ ବାତିଲ କରିଦେଇଛନ୍ତି। ମିଶିଗାନ୍‌ର କେତେକ ସ୍କୁଲରେ ଛାତ୍ରୀଛାତ୍ର କ୍ଲାସ୍‌ ପରିତ୍ୟାଗ କରି ଚାଲିଯାଇଥିଲେ। ଆନ୍ଦୋଳନରେ କେବଳ ଛାତ୍ରୀଛାତ୍ର ସାମିଲ ହୋଇନାହାନ୍ତି, ଶିକ୍ଷକମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି।

Leave a comment