ମାଲବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ,୨୦ ମୃତ ୫ ଆହତ

ଚୀନର ଉତ୍ତର-ପୂର୍ବ ଉପକୂଳସ୍ଥ ‘କିଂଡାଓ’ (Qingdao) ବନ୍ଦରରେ ଏକ ମାଲବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫ ଜଣ ନିଖୋଜ ଅଛନ୍ତି। ଅଗ୍ନିକାଣ୍ଡର ଶିକାର ହୋଇଥିବା ମାଲବାହୀ ଜାହାଜଟିର ନାମ ‘ଓସନ୍ ମେଲୋଡି’ (Ocean Melody) । ଏହା ଲାଇବେରିଆର ପତାକା ତଳେ ପଞ୍ଜୀକୃତ।

ଚୀନ୍‌ର ଶାନ୍ଦୋଙ୍ଗ୍ ପ୍ରଦେଶସ୍ଥ ‘କିଂଡାଓ ବେହାଇ ସିପ୍‌ୟାର୍ଡ’ ଠାରେ ଜାହାଜଟି ମରାମତି ପାଇଁ ରହିଥିଲା। ସେପ୍ଟେମ୍ବର ୧୦, ପୂର୍ବାହ୍ନ ୧୧ଟାରେ ନିଆଁ ଲାଗିଥିଲା ଏବଂ ଅପରାହ୍ନ ୨:୩୦ ସୁଦ୍ଧା ଏହାକୁ ଆୟତ୍ତ କରାଯାଇଥିଲା। ଜାହାଜରେ ମୋଟ ୪୨ ଜଣ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୫ ଜଣ ଗୁରୁତର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ଦୁର୍ଘଟଣା ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିଖୋଜ ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ କଠୋର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଞ୍ଚଳ ଓ ବିଭାଗଗୁଡ଼ିକୁ ଏହି ଘଟଣାରୁ ଶିକ୍ଷା ନେଇ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଚୀନ୍ ପ୍ରଧାନମନ୍ତ୍ରୀ ଲି କ୍ୟାଙ୍ଗ୍ ମଧ୍ୟ ନିଖୋଜଙ୍କୁ ଖୋଜିବା ଏବଂ ଆହତମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ସହ ବିପର୍ଯ୍ୟୟ ଏଡ଼ାଇବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

କିଂଡାଓ ବେହାଇ ସିପ୍‌ୟାର୍ଡ ହେଉଛି ଚୀନର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ସିପିଂ ୟାର୍ଡଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହା ଚାଇନା ଷ୍ଟେଟ୍ ସିପବିଲ୍ଡିଂ କୋର୍ପୋରେସନ୍ ଦ୍ୱାରା ପରିଚାଳିତ।

Leave a comment