ତେହେରାନ ଉପରେ ବଡ଼ ଆକ୍ରମଣ କରିବାର ଧମକ ଦେଲେ ଟ୍ରମ୍ପ, ‘ଆମେ ଆଜି ରାତିରେ ସେମାନଙ୍କ ଉପରେ ବଡ଼ ଆକ୍ରମଣ କରିବୁ
ଇରାନ ସହିତ ଶାନ୍ତି ଚୁକ୍ତି ଭାଙ୍ଗି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟ ସହ ସାରା ବିଶ୍ୱକୁ ଚିନ୍ତାରେ ପକାଇଛନ୍ତି । ଆଉ ଚୁକ୍ତି ଭାଙ୍ଗିବାର କିଛି ଘଣ୍ଟା ପରେ ହିଁ ଇରାନକୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ ତେହେରାନ ଉପରେ ବଡ଼ ଆକ୍ରମଣ କରିବାର ଧମକ ଦେଇଛନ୍ତି । ସେ କହିଛନ୍ତି, ‘ଆମେ ଆଜି ରାତିରେ ସେମାନଙ୍କ ଉପରେ ବଡ଼ ଆକ୍ରମଣ କରିବୁ ।’
ଅଙ୍କାରାରେ ନାଟୋ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, “ମୁଁ ଆଜି ରାତିରେ ସେମାନଙ୍କୁ ପୁଣି ଥରେ କଠୋର ଦଣ୍ଡ ଦେବି । ମୁଁ ସେମାନଙ୍କୁ ଚେତାବନୀ ଦେଉଛି । ସେମାନେ ପ୍ରତିଦିନ ଚୁକ୍ତିନାମା ଭାଙ୍ଗୁଛନ୍ତି । ସେମାନେ ମିଛ କହୁଛନ୍ତି, ପ୍ରତାରଣା କରୁଛନ୍ତି ଏବଂ ଲୋକଙ୍କୁ ମାରୁଛନ୍ତି । ଇରାନ ଆମ ଏୟାରକ୍ରାଫ୍ଟ କ୍ୟାରିୟର ଉପରେ ଆକ୍ରମଣ କରିଛି ।”
ଟ୍ରମ୍ପ ଇରାନର ବାର୍ତ୍ତାକାର ପ୍ରତିନିଧିମଣ୍ଡଳ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ସେ କହିଛନ୍ତି, ରୁଦ୍ଧ ଦ୍ୱାର ବୈଠକରେ ଯେଉଁ ଆଲୋଚନା ହୋଇଥିଲା, ସେ ବିଷୟରେ ସେମାନେ ମିଛ କହିଛନ୍ତି । ଦୃଢ ଶବ୍ଦରେ ଚେତାଇଛନ୍ତି ଯେ ଇରାନକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରୁ ରୋକିବା ପାଇଁ କୌଣସି ଚୁକ୍ତିର ଆବଶ୍ୟକତା ନାହିଁ ।ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ବୁଧବାର ଇରାନ ସହିତ ହୋଇଥିବା ଅନ୍ତରୀଣ ଚୁକ୍ତିରୁ ଓହରି ଯାଇଛନ୍ତି । ସେ କହିଛନ୍ତି ଯେ ଇରାନ ସହିତ ଚୁକ୍ତି କରିବା ସମୟ ନଷ୍ଟ କରିବା ସଦୃଶ । ଆମେରିକା ରାଷ୍ଟ୍ରପତି କହିଛନ୍ତି, “ସେମାନେ ନିକୃଷ୍ଟ ଏବଂ ରୁଗଣ ମାନସିକତାର ଲୋକ, ସେମାନଙ୍କୁ ରୁଗଣ ମାନସିକତାର ଲୋକ ହିଁ ପରିଚାଳନା କରୁଛନ୍ତି ଏବଂ ସେମାନେ ନିର୍ଦ୍ଦୟ ଓ ହିଂସ୍ର ଅଟନ୍ତି । ଯଦି ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଥାନ୍ତା, ତେବେ ସେମାନେ ନିଶ୍ଚିତ ଭାବରେ ତାହାର ବ୍ୟବହାର କରିଥାନ୍ତେ ।”