ଆମେରିକା ଦ୍ୱାରା ପୁଣି ନୂଆକରି ଆକ୍ରମଣ ଆଶଙ୍କାରେ ଇରାନ ତାର ଏୟାରସ୍ପେସ୍ କୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା

ଆମେରିକା ଦ୍ୱାରା ପୁଣି ନୂଆକରି ଆକ୍ରମଣ ଆଶଙ୍କାରେ ଇରାନ ତାର ଏୟାରସ୍ପେସ୍ କୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛି। ଏଥିମଧ୍ୟରେ ଦୁଇ ଦେଶଙ୍କ ମଧ୍ୟରେ ଚାଲିଥିବା ଶାନ୍ତି କଥାବାର୍ତ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସିବିଏସ୍ ନ୍ୟୁଜ୍ ଅନୁସାରେ ଇରାନ ଉପରେ ଆମେରିକା ପୁଣି ନୂଆକରି ଏକ ସାମରିକ ଅଭିଯାନର ଯୋଜନା କରୁଛି। ଏଥିରେ ଯଦି ଆଗାମୀ ୨୪ ଘଣ୍ଟା ମଧ୍ୟରେ କୌଣସି କୂଟନୈତିକ ସଫଳତା ହାସଲ ନ ହୁଏ ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଅପରେସନକୁ ମଞ୍ଜୁରୀ ଦେବାକୁ ନିଷ୍ପତ୍ତି ନେଇ ପାରନ୍ତି।

ତେବେ ନୂଆ କରି ଆମେରିକାର ଆକ୍ରମଣ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ। ପ୍ରଶାସନ ଦ୍ୱାରା ତେହେରାନ ଉପରେ ନୂଆ ଆକ୍ରମଣ ଲାଗି ବିଚାର କରିବା କାରଣରୁ ଆମେରିକୀୟ ସେନା ଓ ଗୁଇନ୍ଦା ଏଜେନ୍ସୀ ଅଧିକାରୀମାନେ ମେମୋରିୟାଲ ଡେ ୱିକେଣ୍ଡ ଛୁଟି ରଦ୍ଦ କରିଥିବା ଜଣାପଡିଛି। ଏହି ଘଟଣାକ୍ରମ ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଶନିବାର ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏଣୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁଜର୍ସିରେ ସପ୍ତାହନ୍ତ ବିତାଇବା କାର୍ଯ୍ୟକ୍ରମ ବାତିଲ କରି ୱାସିଂଟନ ଫେରି ଆସିଛନ୍ତି।

ଆମେରିକା ରାଷ୍ଟ୍ରପତି ଶୁକ୍ରବାର କହିଥିଲେ ଯେ ଇରାନ ସହିତ ଜାରି କୁଟନୈତିକ ଉତ୍ତେଜନା କାରଣରୁ ସେ ହୁଏତ ତାଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ବିବାହ ଉତ୍ସବରେ ସାମିଲ ନ ହୋଇ ପାରନ୍ତି। ସରକାର ସମ୍ପର୍କିତ ପରିସ୍ଥିତିର ଉଦାହରଣ ଦେଇ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ୱାସିଂଟନରେ ଉପସ୍ଥିତ ରହିବା ଅଧିକ ଜରୁରି। ଏ ନେଇ ସେ ଟ୍ରୁଥ ସୋସାଲରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ ତାଙ୍କ ପୁଅ ଡନ ଓ ପୁତ୍ର ବଧୂ ବେଟିନାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ସେମାନଙ୍କ ବିବାହ କାର୍ଯ୍ୟକ୍ରମରେ ହୁଏତ ଅନୁପସ୍ଥିତ ରହିପାରନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ସେପଟେ ଗତ ଏପ୍ରିଲରେ ଟ୍ରମ୍ପଙ୍କ ଦ୍ୱାରା ଘୋଷିତ ଯୁଦ୍ଧବିରାମ ଆମେରିକା ଓ ଇରାନ ମଧ୍ୟରେ ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଅନ୍ୟପଟେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଜାରି ରହିଛି। ତେବେ ଏହି କଥାବାର୍ତ୍ତାରେ ସବୁଠୁ ବଡ଼ ବାଧା ପାଲଟିଛି ଇରାନ ଦ୍ୱାରା ସମ୍ବର୍ଦ୍ଧିତ ୟୁରେନିୟମ। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇରାନ ପରମାଣୁ ଅସ୍ତ୍ର ଦୂରର କଥା ସମ୍ବର୍ଦ୍ଧିତ ୟୁରେନିୟମ ମଧ୍ୟ ନିଜ ପାଖରେ ରଖୁ ବୋଲି ଆମେରିକା ଚାହୁଁନାହିଁ। ତେବେ ଇରାନ ପ୍ରଶାସନ ନିଜ ସମ୍ବର୍ଦ୍ଧିତ ୟୁରେନିୟମକୁ କୌଣସି ମୂଲ୍ୟରେ ମଧ୍ୟ ବିଦେଶୀ ଶକ୍ତିଙ୍କ ହାତକୁ ଟେକିଦେବାକୁ ଚାହୁଁ ନାହିଁ।

Leave a comment