ମୁଁ ନେତନ୍ୟାହୁଙ୍କ ବସ୍ -ଟ୍ରମ୍ପ୍
ଇରାନ ସହ ଶାନ୍ତି ଆଲୋଚନା ପାଇଁ ଆମେରିକା ପ୍ରସ୍ତୁତ ହେଉଛି । ଉତ୍ତେଜନା କମୁଛି । ଏହାରି ମଧ୍ୟରେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଦୂରତା ବଢିବାରେ ଲାଗିଲାଣି । ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ଇସ୍ରାଏଲ ବିରୋଧରେ ଟିପ୍ପଣୀ ଦେଉଛନ୍ତି । ଯାହା ସମ୍ପର୍କକୁ ଆହୁରି ଖରାପ କରୁଛି ।
ଟ୍ରମ୍ପ୍ କହିଛନ୍ତି ଯେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ତାଙ୍କୁ ସମୟ ମାଗିଛନ୍ତି । ହ୍ୱାଇଟ୍ ହାଉସରେ ସାକ୍ଷାତ କରିବାକୁ ନେତନ୍ୟାହୁ ଚାହୁଁଛନ୍ତି । ଆସନ୍ତା ସପ୍ତାହରେ ଏହି ସାକ୍ଷାତକାର ହୋଇପାରେ । ସେମାନଙ୍କ ସମ୍ପର୍କ ବହୁତ ଭଲ ଅଛି । କାରଣ ନେତନ୍ୟାହୁଙ୍କ ଭଲ ଭାବେ ଜଣା କି ଟ୍ରମ୍ପ୍ ହେଉଛନ୍ତି ପ୍ରକୃତ ବସ୍ । ଯଦି ଏହି ବୈଠକ ହୁଏ ତାହାଲେ ଫେବ୍ରୁଆରୀ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରମୁଖ ଆଲୋଚନା ହେବ ।
ଟେଲିଫୋନ୍ ଯୋଗେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଟ୍ରମ୍ପ୍ କହିଛନ୍ତି ଯେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କୁ ସମୟ ମାଗିଛନ୍ତି । ନାଟୋ ଶିଖର ସମ୍ମିଳନୀ ପରେ ବୈଠକ ହେବ । ଟ୍ରମ୍ପ୍ ଜୁଲାଇ ୭ ଏବଂ ୮ ତାରିଖରେ ନାଟୋ ସମ୍ମିଳନୀରେ ତୂର୍କୀ ଯାତ୍ରା କରିବେ । ଇସ୍ରାଏଲ ପକ୍ଷରୁ ମଧ୍ୟ ଉଭୟ ନେତା ଫୋନ୍ ଯୋଗେ କଥା ହୋଇଥିବା ସ୍ପଷ୍ଟ କରାଯାଇଛି ।
ଅନ୍ୟ ଦିଗରେ ଦେଖିବାକୁ ଗଲେ ଟ୍ରମ୍ପ୍ ଲଗାତାର ଭାବେ ଉଭୟ ଦେଶର ସମ୍ପର୍କ ଭଲ ଥିବା କହୁଛନ୍ତି । କିନ୍ତୁ ଆମେରିକାର ଯୁଦ୍ଧ ନୀତିରେ ଇସ୍ରାଏଲ ଖୁସି ନାହିଁ । ଗତମାସରେ ଇସ୍ରାଏଲ ପକ୍ଷରୁ ଲେବାନନ ବିରୋଧୀ ନୀତିକୁ ଆମେରିକା ନିନ୍ଦା କରିଥିଲା । ଯାହା ପରେ ଇସ୍ରାଏଲ ଲେବାନନ ବିରୋଧରେ ଆକ୍ରମଣକୁ ସ୍ଥଗିତ ରଖିଛି । ସେହିପରି ହିଜବୁଲ୍ଲା ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ମତାନ୍ତର ରହିଛି ।