ଓଲଟିଲା ଯାତ୍ରୀବାହୀ ବସ୍,୧୨ ମୃତ ୩୭ ଜଣ ଯାତ୍ରୀ ଆହତ

ହଙ୍ଗେରୀର ପୂର୍ବ ଭାଗରେ ଥିବା ଏକ ମୋଟରୱେରେ ଏକ ପୋଲାଣ୍ଡ-ପଞ୍ଜୀକୃତ ପର୍ଯ୍ୟଟକ ବସ୍ ଓଲଟି ପଡ଼ିବା ଫଳରେ ୧୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଗୁରୁତର ଆହାତ ହୋଇଛନ୍ତି। ରବିବାର ସକାଳେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ପିଟର ମାଗ୍ୟାର (Peter Magyar) ନିଜ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଏହି ଦୁଃଖଦ ଖବର ସେୟାର କରିଛନ୍ତି।

ପୂର୍ବ ହଙ୍ଗେରୀର ମେଜୋକେରେଜଟେସ୍ ସହର ନିକଟସ୍ଥ M3 ମୋଟରୱେରେ ଏହି ଦୁର୍ଘଟଣା ଘଟିଛି। ବସ୍‌ ନାୟରେଗିଜା ସହର ଆଡ଼କୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା। ତେବେ ବସରେ ୫୭ ଜଣ ଯାତ୍ରୀ ଏବଂ ୨ ଜଣ ଡ୍ରାଇଭର ଥିଲେ। ପୋଲିସର ସୂଚନା ଅନୁଯାୟୀ, ଗାଡ଼ି ଚଳାଇବା ସମୟରେ ଡ୍ରାଇଭରଙ୍କୁ ନିଦ ଆସିଯିବାରୁ ବସଟି ନିୟନ୍ତ୍ରଣ ହରାଇ ନିକଟସ୍ଥ ନାଳ ଭିତରକୁ ଓଲଟି ପଡ଼ିଥିଲା।

ଦୁର୍ଘଟଣାର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା। ଲାଲ୍ ରଙ୍ଗର ବସଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ନାଳରେ ପଡ଼ିଥିବା ବେଳେ ଏହାର କାଚଗୁଡ଼ିକ ଭାଙ୍ଗିରୁଜି ଯାଇଥିଲା। ଯାତ୍ରୀଙ୍କ ଜିନିଷପତ୍ର ଓ ସୁଟକେସ୍ ଚାରିଆଡ଼େ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। ଆହାତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ବସ୍ ଡ୍ରାଇଭରଙ୍କୁ ଗିରଫ କରିଛି ।

ପୋଲାଣ୍ଡ ରାଷ୍ଟ୍ରପତି କାରୋଲ ନାୱରୋକି ସୋସିଆଲ ମିଡିଆ ଏକ୍ସ (X)ରେ ଶୋକପ୍ରକାଶ କରି କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଅନେକ ଦେଶବାସୀଙ୍କ ଜୀବନ ଯାଇଥିବାରୁ ମୁଁ ଗଭୀର ମର୍ମାହତ। ବୈଦେଶିକ ମନ୍ତ୍ରୀ ରାଡୋସ୍କୋ ସିକୋରସ୍କି କହିଛନ୍ତି ଯେ, କୂଟନୈତିକ ସେବା ସକ୍ରିୟ ରହିଛି ଏବଂ ସେମାନେ ହଙ୍ଗେରୀ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି।

Leave a comment