ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ ପରେ ମାଳଦ୍ୱୀପ ନେତାଙ୍କ ଉପରେ ବର୍ଷିଲେ ଭାରତୀୟ
ନୂଆଦିଲ୍ଲୀ: ଲାକ୍ଷାଦ୍ୱୀପ ଗସ୍ତ କରି ଫଟୋ ସେୟାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସେହି ଟ୍ବିଟ୍ ପରେ ମାଳଦୀପର ଜଣେ ପରେ ଜଣେ ମନ୍ତ୍ରୀ ବିବାଦୀୟ ବୟାନ ଦେଇଥିଲେ। ମାଳଦୀପ ମନ୍ତ୍ରୀମାନଙ୍କ ବୟାନକୁ ଭାରତୀୟ ନେତା , ବଲିଉଡ ତାରକା ଏବଂ ପୂର୍ବତନ କ୍ରିକେଟ ଖେଳାଳି ସମାଲୋଚନା କରିଛନ୍ତି । ସୋସିଆଲ ମିଡ଼ିଆରେ ବୟକଟ ମାଳଦ୍ବୀପ ଟ୍ରେଣ୍ଡ ଚାଳିଛି । ପର୍ଯ୍ୟଟକମାନେ ମାଳଦ୍ବୀପ ବୁକିଂ କ୍ୟାନସଲ କରୁଛନ୍ତି । ସିନେ ତାରକା ଅକ୍ଷୟ କୁମାର କହିଛନ୍ତି ମାଳଦ୍ବୀପର ପ୍ରମୁଖ ବ୍ୟକ୍ତିମାନେ ଭାରତୀୟଙ୍କ ସଂପର୍କରେ ଘୃଣା ଏବଂ ବିଦ୍ବେଷମୂଳକ ଟିପ୍ପଣୀ ଦେଇଛନ୍ତି। ଏହା ଠିକ୍ ନୁହେଁ । ଭାରତ ମାଳଦ୍ୱୀପ ମଧ୍ୟରେ ସଂପର୍କ ଖରାପ ହୋଇଛି । ସେଠାକାର ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇଛନ୍ତି । ହେଲେ ଏହାପରେ ବି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ ଜାରି ରହିଛି । ନିଜ ଆପରେ ମାଲଦ୍ୱୀପ ଯାଉଥିବା ବିମାନ ବୁକିଂକୁ ବାତିଲ କରିଛନ୍ତି କିଛି ବୁକିଂ ସଂସ୍ଥା । ମାଳଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଷ୍ଟାର କ୍ରିକେଟର ସୁରେଶ ରୈନା, ଇରଫାନ ପଠାନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ, ବୀରେନ୍ଦ୍ର ସେହୱାଗଭଙ୍କ ଭଳି କ୍ରିକେଟର । ସୁରେଶ ରୈନା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ମାଲଦ୍ୱୀପର ପ୍ରମୁଖ ବ୍ୟକ୍ତି ମାନେ ଯେଉଁଭଳି ଟିପ୍ପଣୀ କରିଛନ୍ତି ତାହା ଆମକୁ ଦୁଃଖ ଲାଗୁଛି । ଭାରତୀୟଙ୍କ ପ୍ରତି ଥିବା ଘୃଣା ମନୋଭାବ ଏମାନେ ପରିପ୍ରକାଶ କରିଛନ୍ତି । ମାଳଦ୍ୱୀପର ଅର୍ଥବ୍ୟବସ୍ଥାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡ଼ିଆରେ କହିଛନ୍ତି, ଭାରତ ନାଁରେ ଯାହା କୁହାଯାଉଛି ତାହା ବେଶ ଦୁଃଖଦାୟକ । ଇରଫାନ ପଠାନ କହିଛନ୍ତି, ମୁଁ ଯେଉଁ ବି ନୂଆ ଦେଶକୁ ଯାଇଛି ଏବଂ ସେଠାକାର ସେବା ଦେଖିବା ପରେ ଭାରତର ଆତିଥେୟତା ଉପରେ ମୋର ବିଶ୍ୱାସ ଆହୁରି ମଜବୁତ ହୋଇଛି ।ଭାରତକୁ ଏଭଳି କହିବା ଠିକ୍ ହୋଇନାହିଁ । ସମସ୍ତ ଦେଶର ସଂସ୍କୃତିକୁ ସମ୍ମାନ କରିବା ପରେ ନିଜ ଦେଶ ନାଁରେ ନିରାଶଜନକ କଥା ଶୁଣିବା ବେଶ ଦୁଃଖଦାୟକ । ଏବେ ଦୁଇ ଦେଶର ଜନସାଧାରଣ ପରସ୍ପରକୁ ସୋସିଆଲ ମିଡିଆରେ ନିଜ ଦେଶର ସୈାନ୍ଦର୍ଯ୍ୟ ଥିବା ଫଟୋ ସେୟାର କରି ଭାଇରାଲ କରୁଛନ୍ତି ।