୧୮,୦୦୦ ଭାରତୀୟ ଙ୍କୁ ନିଜ ଦେଶରୁ ବାହାର କରିବ ଆମେରିକା

ଭାରତ ଏବଂ ଆମେରିକା ମଧ୍ୟରେ ଭଲ କୂଟନୈତିକ ସମ୍ପର୍କ ବିଷୟରେ ଆଲୋଚନା ହେଉଛି। ତଥାପି ଭାରତୀୟମାନଙ୍କୁ ନିଜ ଦେଶରୁ ବାହାର କରି ସ୍ବଦେଶ ପଠାଇବା ପ୍ରକ୍ରିୟା ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଆମେରିକାରୁ ପ୍ରବାସୀମାନଙ୍କୁ ବହିଷ୍କାର କରିବାର ଧାରା ବୃଦ୍ଦି ପାଇଛି।  ୨୦୨୪ ମସିହାରେ ଜଣେ ଭାରତୀୟଙ୍କୁ ପ୍ରତି ୬ ଘଣ୍ଟାରେ ଆମେରିକାରୁ ଭାରତକୁ ପଠାଯାଇଥିଲା।

ଆମେରିକାର ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ (ଆଇସିଇ) ଦ୍ବାରା ଡିସେମ୍ବର ୧୯ରେ ପ୍ରକାଶିତ ୨୦୨୪ଆର୍ଥିକ ବର୍ଷ ପାଇଁ ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୪ ବର୍ଷରେ ଜଣେ ପ୍ରତି ୬ ଘଣ୍ଟାରେ ଆମେରିକାରୁ ଜଣେ ଭାରତକୁ ପଠାଯାଇଥିଲା। ବିଶେଷ କଥା ହେଉଛି ଏହି କ୍ଷେତ୍ରରେ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ, ବରଂ ଏକ ବଡ଼ ବୃଦ୍ଧି ଘଟିଛି।

୨୦୨୩ ତୁଳନାରେ ୨୦୨୪ରେ ଏହି ସଂଖ୍ୟା ଅଧିକ ବୃଦ୍ଧି ପାଇଛି।
୨୦୨୩ ମସିହାରେ, ୧,୪୨,୫୮୦ ଲୋକଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଥିଲା, ଯେଉଁଥିରେ ୩୭୦ଜଣ ଭାରତୀୟ ସାମିଲ ହୋଇଥିଲେ। ୨୦୨୨ମସିହାରେ ନିର୍ବାସିତ ହୋଇଥିବା ୭୧,୧୭୭ ଜଣଙ୍କ ମଧ୍ୟରୁ ୨୭୬ ଜଣ ଭାରତୀୟ ଥିଲେ। ୨୦୨୧ରେ ୫୯,୦୧୧ ନିର୍ବାସିତଙ୍କ ମଧ୍ୟରେ ୨୯୨ ଜଣ ଭାରତୀୟ ଥିଲେ। ୨୦୨୪ରେ ୧୨,୭୧,୪୮୪ ନିର୍ବାସିତଙ୍କ ମଧ୍ୟରେ ୧,୫୨୯ ଜଣ ଭାରତୀୟ ଅଛନ୍ତି।

ଭାରତର କେନ୍ଦ୍ରୀୟ ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ଷ ବର୍ଷ ଧରି ନିର୍ବାସିତଙ୍କ ସଂଖ୍ୟାରେ ପରିବର୍ତ୍ତନକୁ ବିଭିନ୍ନ କାରଣ ଦର୍ଶାଯାଇପାରେ। ଯେପରିକି ଆମେରିକାର ଇମିଗ୍ରେସନ ନୀତିରେ ପରିବର୍ତ୍ତନ, ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମା। ସେ କହିଛନ୍ତି ଯେ, ୨୦୨୪ରେ ସଂଖ୍ୟା ବୃଦ୍ଧି ବ୍ୟାପକ ସ୍ଥାନାନ୍ତରଣ ଧାରା ଏବଂ ଆମେରିକାରେ ଆଇନଗତ ମାନ୍ୟତା ନ ଥିବା ଲୋକଙ୍କୁ ଟାର୍ଗେଟ କରୁଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରତିଫଳିତ କୁହାଯାଇପାରେ।

୨୦୧୯ ଏବଂ ୨୦୨୦ର କୋଭିଡ ମହାମାରୀ ସମୟରେ, ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମୋଟ ୩,୯୨୮ ଜଣ ଭାରତୀୟଙ୍କୁ ଦେଶରୁ ବିତାଡିତ କରାଯାଇଥିଲା।  ସେମାନଙ୍କ ମଧ୍ୟରୁ ୨୦୧୯ରେ ୧,୬୧୬ ଜଣ ଏବଂ ୨୦୨୦ରେ ୨,୩୧୨ ଜଣ ଭାରତୀୟଙ୍କୁ ଦେଶରୁ ବାହାର କରାଯାଇଥିଲା।

ଆମେରିକାର ଇମିଗ୍ରେସନ ଏବଂ କଷ୍ଟମ୍ସ ଏନଫୋର୍ସମେଣ୍ଟ ଦେଶାନ୍ତର ପାଇଁ ଧାର୍ଯ୍ୟ ହୋଇଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିସାରିଛି ଏବଂ ପ୍ରାୟ ୧୮,୦୦୦ଅଣ-ଦସ୍ତାବିଜୀ ଭାରତୀୟଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ ଦେଶରୁ ବିତାଡିତ ହେବାର ସମ୍ଭାବନା ରହିଛି। ଗତ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଆଇସିଇ ତଥ୍ୟ ଦର୍ଶାଉଛି ଯେ,୧୪.୪ ଲକ୍ଷ ନିର୍ବାସିତ ଲୋକଙ୍କ ମଧ୍ୟରୁ ୧୭,୯୪୦ ଭାରତୀୟ ଅଛନ୍ତି, ଯେଉଁମାନେ ଆମେରିକାରୁ ନିର୍ବାସିତ ହେବାର ଶେଷ ଆଦେଶ ସହିତ ଗିରଫ ହୋଇନାହାନ୍ତି।