ଶତ୍ରୁ ନଜରରୁ ୪୮ ଘଣ୍ଟା ଧରି ନିଜକୁ ଏପରି ସୁରକ୍ଷିତ ରଖିଥିଲେ ପାଇଲଟ

ଇରାନର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଆମେରିକୀୟ ଏଫ-୧୫ ଇ ଯୁଦ୍ଧ ବିମାନ କ୍ରାସ୍ ପରେ ଯେଉଁ କାହାଣୀ ସାମ୍ନାକୁ ଆସୁଛି ତାହା କୌଣସି ହଲିଉଡ ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ବିମାନରେ ମିଜାଇଲ ମାଡ଼ ହେବା ପରେ ଦୁଇ ପାଇଲଟ ଇଜେକ୍ଟ ହୋଇଯାଇଥିଲେ। ହେଲେ ଜଣେ ଦୁଇ ଦିନ ଧରି ଶତ୍ରୁ ମୁଲକରେ ଲୁଚି ରହିଥିଲା। ଏହି ସମୟରେ ପାଇଲଟ ତାଙ୍କ ପାଖରେ ଥିବା ସୀମିତ ସଂସାଧନରେ ନିଜକୁ ବଞ୍ଚାଇ ରଖିଥିଲେ। ଗୁଇନ୍ଦା ଏଜେନ୍ସୀ ଓ ସ୍ପେଶିଆଲ ଫୋର୍ସ ମିଳିତ ଏକ ଜଟିଳ ଅପରେସନ ହାତକୁ ନେଇଥିଲେ। ଅନ୍ତତଃ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଛି।

ଶତ୍ରୁ ନଜରରୁ ୪୮ ଘଣ୍ଟା ଧରି ନିଜକୁ ଏପରି ସୁରକ୍ଷିତ ରଖିଥିଲେ ପାଇଲଟ
ଶୁକ୍ରବାର ଭୋର ସମୟରେ ଆମେରିକୀୟ ସେନାର ଏଫ-୧୫ ଇ ଷ୍ଟ୍ରାଇକ୍ ଇଗଲ ଶତ୍ରୁ ଆକ୍ରମଣର ଶିକାର ହୋଇଥିଲା। ଦୁଇ ପାଇଲଟ ବିମାନରୁ ସୁରକ୍ଷିତ ବାହାରିଯାଇଥିଲେ। ବିମାନର ପାଇଲଟଙ୍କୁ ଖୁବ୍ ଶୀଘ୍ର ଉଦ୍ଧାର କରାଯାଇଥିଲା, ହେଲେ ୱେପନ ସିଷ୍ଟମ ଅଫିସର ନିଖୋଜ ହୋଇଯାଇଥିଲେ। ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଉଦ୍ଧାର ଅଧିକାରୀ ଜଣେ କର୍ଣ୍ଣେଲ। ସେ ଏକ ପାହାଡ ଉପରେ ଅବତରଣ କରିଥିଲେ ଯେଉଁଠି ପ୍ରଥମରୁ ବିରୋଧର ସ୍ଥିତି ଥିଲା।

ପାହାଡରେ ଲୁଚି ସଂଘର୍ଷ
ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଧିକାରୀ ନିଜକୁ ଧ୍ୱଂସାବେଶେଷରୁ ଦୂରେଇ ନେଇଥିଲେ ଓ ଏକ ପାହାଡ ଫାଟରେ ଲୁଚି ଯାଇଥିଲେ। ତାଙ୍କ ନିକଟରେ ସ୍ୱଳ୍ପ ସାମଗ୍ରୀ ଥିଲା। ଏଥିରେ ଏକ ପିସ୍ତଲ, ଏକ ବିକନ ଓ ଯୋଗାଯୋଗ ପାଇଁ ଡିଭାଇସ ଥିଲା। ଏହି ସମୟରେ ଇରାନୀ ସେନା ଓ ବସିଜ ଫୋର୍ସ ତାଙ୍କର ତଲାସ କରୁଥିଲେ। ଅଞ୍ଚଳର ଲୋକେ ମଧ୍ୟ ପୁରସ୍କାର ଲୋଭରେ ତାଙ୍କୁ ଖୋଜୁଥିଲେ।

୭୦୦୦ ଫୁଟର ଚ୍ୟାଲେଞ୍ଜ
ନିଜକୁ ବଞ୍ଚାଇବା ପାଇଁ ଅଧିକାରୀ ପାଖାପାଖି ୭୦୦୦ ଫୁଟ ଉଚ୍ଚ୍ ପାହାଡକୁ ଚଢିଥିଲେ। ତାଙ୍କର ଏହି ପଦକ୍ଷେପ ତାଙ୍କୁ ଶତ୍ରୁଙ୍କଠାରୁ ବଞ୍ଚାଇଥିଲା। ହେଲେ ତାଙ୍କ ଉଦ୍ଧାର ଜଟିଳ ହୋଇପଡିଥିଲା। ସେ ବିକନର ସୀମିତ ଉପଯୋଗ କରିଥିଲେ, ଯେପରି ଶତ୍ରୁ ତାଙ୍କୁ ଠାବ କରି ନପାରେ। ପାର୍ବତ୍ୟ ଅଞ୍ଚଳ ତାଙ୍କୁ ସୁରକ୍ଷା ଦେଇଥିଲା ସତ ହେଲେ ପ୍ରଦି ପଦକ୍ଷେପରେ ବିପଦ ଥିଲା।

ଖୁବ ଚାଲାକିରେ ରଚିଥିଲେ ଯୋଜନା
ପାହାଡରେ ଲୁଚିଥିବା ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସୀ (ସିଆଇଏ) ମଧ୍ୟ ଏକ ଖାସ ରଣନୀତି ଆପଣେଇଥିଲା। ଏଜେନ୍ସୀ ଏପରି ଭ୍ରମ ସୃଷ୍ଟି କରିଥିଲା ଯେପରି ଅଧିକାରୀଙ୍କ ଉଦ୍ଧାର କାର୍ଯ୍ୟ ସରିଯାଇଛି। ଏଣୁ ଇରାନୀ ଫୋର୍ସଙ୍କ ଧ୍ୟାନ ନିଖୋଜ ବୈମାନିକଙ୍କ ଠାରୁ ହଟି ଯାଇଥିଲା। ଏହି ସମୟରେ ଗୁଇନ୍ଦା ଟେକନିକ୍ ରେ ନିଖୋଜ ଅଧିକାରୀଙ୍କ ଲୋକେସନ ଠାବ କରାଯିବା ସହ ତୁରନ୍ତ ଉଦ୍ଧାର ପାଇଁ ଆଦେଶ ଦିଆଯାଇଥିଲା।

ବିପଦଜନକ ରେସ୍କ୍ୟୁ ଅପରେସନ
ଏହି ରେସ୍କ୍ୟୁ ମିସନରେ ନେଭି ସିଲ ଟିମ୍ ସିକ୍ସ ସହିତ କିଛି ସ୍ପେଶାଲ ଫୋର୍ସ ସାମିଲ ହୋଇଥିଲେ। ବିମାନ ଆକ୍ରମଣ ମାଧ୍ୟମରେ ଉଦ୍ଧାର ଅଭିଯାନରୁ ଶତ୍ରୁକୁ ଦୂରରେ ରଖା ଯାଇଥିଲା ଓ କମାଣ୍ଡୋ ଅଧିକାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଆଣିଲେ। ଏହି ଅପରେସନରେ ଆମେରିକାର ଆଉ ଦୁଇଟି ବିମାନ ଅଚଳ ହୋଇଯାଇଥିଲେ, ଯେଉଁ ଦୁଇଟିକୁ ନଷ୍ଟ କରିଦିଆଯାଇଛି। ଉଦ୍ଧାର ପରେ ଅଧିକାରୀଙ୍କୁ ଚିକିତ୍ସା ନିମନ୍ତେ କ୍ୱେତ ପଠାଯାଇଛି। ଏହି ମିସନକୁ ଆମେରିକା ଯୁଦ୍ଧ ଇତିହାସର ସବୁଠୁ ଦୁଃସାହସିକ ଅଭିଯାନ ଭାବେ ଏବେ ଦେଖା ଯାଉଛି।

Leave a comment