ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳରେ କୁଆପଥର ବର୍ଷା ସହିତ ଘଣ୍ଟା ପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିପାରେ। ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବାରୁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗୁରୁବାର ବିଳମ୍ବିତ ରାତିରେ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହୋଇଛି। କାଳବୈଶାଖୀ ପ୍ରଭାବରୁ ଶୁକ୍ରବାର ତାପମାତ୍ରା ଅନେକ ଅଞ୍ଚଳରେ ୩୪ରୁ ୩୫ ଡିଗ୍ରୀ ମଧ୍ୟରେ ରହିଛି। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୯ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା ୩୮.୪, ଭବନେଶ୍ବର ୩୫.୨ ଏବଂ କଟକରେ ୩୪.୬ ଡିଗ୍ରୀ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଅନୁଗୋଳ, ନୟାଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Leave a comment