ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ ଓ କାଳବୈଶାଖୀର ପ୍ରଭାବରେ ଅପରାହ୍ନରେ ବିଜୁଳି ଓ ଘଡ଼ଘଡ଼ି ସହ ପବନ ବହିବ- ପଶୁପାଳକ
କୁଆଡେ କିଛି ନଥିଲା । ଦିନବେଳା ପ୍ରବଳ ଖରା ହେଉଥିଲା । ତାତିରେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ । ଅପରାହ୍ନ ବେଳକୁ ହଠାତ୍ ଆକାଶକୁ କବଜା କରିନେଲା କଳା ବାଦଲ । ଚାହୁଁ ଚାହୁଁ ନିର୍ଧୁମ ବର୍ଷିଲା । ଖାଲି ବର୍ଷିଲାନି, ଘନ ଘନ ବଜ୍ରପାତ ଓ ବିଜୁଳି ମାଡ଼ରେ ଚାରିଆଡ଼େ କମ୍ପିଥିଲା । କିଛି କିଛି ସ୍ଥାନରେ ପବନର ଝଟକା ୪୦ରୁ ୫୦କିମି ଡେଇଁ ଯାଇଥିଲା ।
ବର୍ଷା ଓ ପବନଠାରୁ ବଜ୍ରପାତର ବିକଟାଳ ରଡ଼ି ସମସ୍ତଙ୍କ ଛାତିରେ ଛନକା ପୂରାଇଥିଲା । ରାଜଧାନୀ ଭୁବନେଶ୍ୱରରୁ ନେଇ ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, ଢେଙ୍କାନାଳ, ଅନୁଗୁଳ, ଚାନ୍ଦବାଲି, ହୀରାକୁଦ, ଯାଜପୁରରେ ପ୍ରବଳ ବର୍ଷା ସମେତ ବିଜୁଳି ଓ ଘଡ଼ଘଡ଼ି ହୋଇଥିଲା । ବଜ୍ରପାତରେ ନୟାଗଡ଼ରେ ଜଣେ ଓ ଗଞ୍ଜାମର ଖଲିକୋଟରେ ଆଉ ଜଣକର ମୃତ୍ୟୁ ହୋଇଛି । ୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ । ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ ଓ କାଳବୈଶାଖୀର ପ୍ରଭାବରେ ଅପରାହ୍ନରେ ବିଜୁଳି ଓ ଘଡ଼ଘଡ଼ି ସହ ପବନ ବହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।
ରବିବାର ଅପରାହ୍ନରେ ଖୋର୍ଦ୍ଧାରେ ୩୨ମିମି ବର୍ଷା ରେକର୍ଡ ହୋଇଛି । ରାୟଗଡ଼ାରେ ୩୧.୬, ଢେଙ୍କାନାଳରେ ୨୭.୬, ଅନୁଗୁଳରେ ୧୦, ପୁରୀରେ ୭.୧, ଭୁବନେଶ୍ୱରରେ ୭.୨ ମିମି ବର୍ଷା ହୋଇଛି । ସୋମବାର କାଳବୈଶାଖୀର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି ।
୭ ଓ ୮ ତାରିଖ ଦୁଇ ଦିନ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକକୁ ଏହି ସତର୍କତା ଜାରି କରାଯାଇଛି । ୯ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ଝଡ଼ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ ଜାରି କରି କହିଛନ୍ତି, ଓଡ଼ିଶାରେ ଏବେ ସ୍ଥାନୀୟ କାଳବୈଶାଖୀ ଓ କ୍ରମାଗତ ପଶ୍ଚିମା-ଝଡ଼ ପ୍ରଭାବ ରହିବ । ଆସନ୍ତା ୭ରୁ ୧୦ ଦିନ ଯାଏ ଏହା ପାଣିପାଗକୁ ନିୟନ୍ତ୍ରଣ କରିବ । ଏବେ ଛୋଟନାଗପୁର ମାଳଭୂମିର ଅତ୍ୟଧିକ ତାତି ପାଇଁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ର କାଳବୈଶାଖୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ସକାଳ ବେଳା ପ୍ରବଳ ତାତି ଓ ଅପରାହ୍ନ ବେଳକୁ ହଠାତ୍ ଘଡ଼ଘଡ଼ି, ବିଜୁଳି ଓ ଘଣ୍ଟାପ୍ରତି ୪୦-୫୦ କିଲାମିଟର ବେଗରେ ପବନ ବହିବା ଭଳି ସ୍ଥିତି ରହିବ ।
ଉତ୍ତର ଭାରତରେ ପ୍ରଥମ ପଶ୍ଚିମା-ଝଡ଼ର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ପରୋକ୍ଷ ଭାବରେ ରହୁଛି । ଏହା ବାୟୁମଣ୍ଡଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରି ବଙ୍ଗୋପସାଗରରୁ ପ୍ରଚୁର ଜଳୀୟବାଷ୍ପ ପୂର୍ଣ୍ଣ ଗରମ ବାୟୁକୁ ଓଡ଼ିଶା ଆଡ଼କୁ ଟାଣୁଛି । ବାୟୁମଣ୍ଡଳର ଉପର ଭାଗରେ ଥିବା ଏହି ଶୀତଳ ବାୟୁ ସ୍ଥାନୀୟ ଉଷ୍ମ ବାୟୁ ସହ ମିଶି କାଳବୈଶାଖୀକୁ ଆହୁରି ଶକ୍ତିଶାଳୀ କରୁଛି । ଏହି ପ୍ରକ୍ରିୟା ଏପ୍ରିଲ ୫ ରୁ ୭ ତାରିଖ ଯାଏ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ସର୍ବାଧିକ ପ୍ରଭାବ ପକାଇବ ବୋଲି ସେ ଆକଳନ କରିଛନ୍ତି ।
ଏପ୍ରିଲ ୭ ଓ ୮ ତାରିଖ ବେଳକୁ ଉତ୍ତର ଭାରତରେ ଆଉ ଏକ ଦ୍ୱିତୀୟ ପଶ୍ଚିମା-ଝଡ଼ ପହଞ୍ଚିବାର ସମ୍ଭାବନା ଅଛି । ଏହା ଓଡ଼ିଶାର ବାୟୁମଣ୍ଡଳକୁ ସ୍ଥିର ହେବାକୁ ଦେବନି । ଏପ୍ରିଲ ୧୧ ତାରିଖ ଯାଏ ଏହି ଅସ୍ଥିର ପାଣିପାଗ ଜାରି ରହିପାରେ । ଏହା ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି ଓ ନୟାଗଡ଼ ଭଳି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାରେ ଆକାଶ ଅଧିକ ସମୟ ଧରି ମେଘୁଆ ରହିବ । ପୁଣି ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଯାଏ ବୃଦ୍ଧି ପାଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
ଲଗାତାର ବାଦଲ ଓ ବର୍ଷା ଯୋଗୁ ରାଜ୍ୟର ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୨ ରୁ ୪ ଡିଗ୍ରୀ ସେଲସିୟସ କମ୍ ରହିବ । ଗ୍ରୀଷ୍ମ ପ୍ରବାହ ପରିବର୍ତ୍ତେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ରୁ ୩୮ ଡିଗ୍ରୀ ଭିତରେ ସୀମିତ ରହିପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଚାଷୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ଏବେ ପ୍ରବଳ ବର୍ଷା ଅପେକ୍ଷା ବଜ୍ରପାତ ଓ ଜୋର୍ରେ ପବନ ସବୁଠାରୁ ବଡ଼ ବିପଦ । ମୁଗ, ବିରି ଏବଂ ରବି ଧାନ ଅମଳ କାମ ଶୀଘ୍ର ସାରି ଶସ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ପାଣିପାଗ ସ୍ଥିର ନହେବା ଯାଏ ବା ଏପ୍ରିଲ ୧୧ ଯାଏ କୌଣସି ସାର ବା କୀଟନାଶକ ପ୍ରୟୋଗ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।