ବଙ୍ଗୋପସାଗରରେ ଦୁର୍ବଳ ହେଲା ଅବପାତ
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇ ଦୁର୍ବଳ ହୋଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ପୂର୍ବର-ଉତ୍ତରପୂର୍ବ ଆଡକୁ ଗତି କରି ଅବପାତ ସମୁଦ୍ର ଭିତରେ ଦୁର୍ବଳ ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ ଗତ ଦୁଇ ଦିନ ହେଲା ଜାରି ରହିଥିବା ଲଗାଣ ବର୍ଷା ଆଜିଠୁ ଛାଡ଼ିବା ଆକଳନ କରାଯାଇଛି। ତେବେ ଉପକୂଳ ଜିଲ୍ଲାଗୁଡିକରେ ଆଜି ମଧ୍ୟ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାର ପରିମାଣ କମିବାକୁ ଥିବା ବେଳେ ଘନ କୁହୁଡ଼ି ମାଡ଼ି ଆସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସହ ଜାରି ରହିବ ଘନ କୁହୁଡି
ଆଜି ରାଜ୍ୟର ୬ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ । ସେହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ । ଘନ କୁହୁଡିରେ ଦୃଶ୍ୟମାନ ଦୂରତା ୨୦୦ ମିଟର ଯାଏଁ ରହିବ । ସୋମବାର ସକାଳ ଯାଏଁ ଘନ କୁହୁଡି ଲାଗିରହିବ ବୋଲି ସତର୍କ କରାଇ ଦେଇଛି ପାଣିପାଗ କେନ୍ଦ୍ର । ଆଜିଠାରୁ ଉତ୍ତର, ଉପକୂଳ ଓଡ଼ିଶାରେ କୋହଲା ପାଗରେ ପରିବର୍ତ୍ତନ ଆସିବ ଓ ବର୍ଷାର ପରିମାଣ କମିପାରେ ।
ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ପ୍ରାୟତଃ କମିଯିବ । ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।