ଫୁଟୁଛି ପଶ୍ଚିମ ଓଡ଼ିଶା

ଉପକୂଳ ଓଡ଼ିଶାରେ ଅଳ୍ପ କିଛି ସ୍ଥାନରେ ତାପମାତ୍ରା ଖସିଛି। କିନ୍ତୁ ପଶ୍ଚିମ ଓଡ଼ିଶା ସେମିତି ତାତିରେ ଫୁଟୁଛି । ଅଗ୍ନିବର୍ଷାରୁ ମୁକ୍ତି ମିଳିନି । ସୋମବାର ଝାରସୁଗୁଡ଼ାରେ ସର୍ବାଧିକ ୪୪.୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ବରଗଡ଼ରେ ୪୩.୯, ବୌଦ୍ଧରେ ୪୩.୫, ବଲାଙ୍ଗୀରରେ ୪୩.୩, ସମ୍ବଲପୁର ଓ ନୂଆପଡ଼ାରେ ୪୩.୨, ରାଉରକେଲା, ଟିଟିଲାଗଡ଼ ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରହିଥିଲା । ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଉପକୂଳ ଓଡ଼ିଶାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଖୋର୍ଦ୍ଧାରେ ୧ ଡିଗ୍ରୀ କମିଛି । ଭୁବନେଶ୍ୱର ଓ ପୁରୀରେ ମଧ୍ୟ ସ୍ୱଳ୍ପ ଖସିଛି । ଭୁବନେଶ୍ୱରରେ ୩୬.୫, କଟକରେ ୩୬.୬, ପୁରୀରେ ୩୨.୪ ଡିଗ୍ରୀ ରେକର୍ଡ ହୋଇଛି । ନୟାଗଡ଼ରେ ପାରଦ ୪୧.୨ ଡିଗ୍ରୀ ଛୁଇଁଛି ।

ପାଣିପାଗ ବିଭାଗ ପୁଣି ଆଶା ଦେଖାଇଛି ଆଉ ଦୁଇ ଦିନରେ ତାତି ଆହୁରି ୨ରୁ ୩ ଡିଗ୍ରୀ କମିପାରେ । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ଓ କୁଆପଥର ସହ ବର୍ଷା ହୋଇପାରେ । ତଥାପି ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିବ । ପଶ୍ଚିମରେ ଗରମରୁ ନିସ୍ତାର ମିଳିବନି । ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ। ଗ୍ରୀଷ୍ମପ୍ରବାହ ଯୋଗୁ ଅସହ୍ୟ ଗରମ ହେବ। ତତଲା ପବନରେ ଲୋକଙ୍କୁ ନାକେଦମ୍ କରିପାରେ ।ମଙ୍ଗଳବାର ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଓ ସୋନପୁରରେ ଗ୍ରୀଷ୍ମପ୍ରବାହର ଆଶଙ୍କା ଅଛି । ରାତିବେଳା ବି ଗରମ ରହିବ । ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ସୋନପୁରରେ ରାତିରେ ବି ଭୀଷଣ ଗରମ ହେବ । ଉପକୂଳ ଓଡ଼ିଶାରେ ଅଧିକ ଆର୍ଦ୍ରତା ପାଇଁ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ୧ ତାରିଖ ଯାଏ ଉପକୂଳରେ ଗୁଳୁଗୁଳି ଓ ଗରମ କମିବନି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

Leave a comment