୨୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ରାଜ୍ୟରେ ରଜଠାରୁ କୋହଲା ପାଗ ଲାଗି ରହିଥିବା ବେଳେ ୧୭ ତାରିଖଠାରୁ ଲଘୁଚାପ ଓ ମୌସୁମୀଜନିତ ବର୍ଷା ଜାରି ରହିଛି। ଫଳରେ ଜୁନ୍ ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ଏହି ସମୟ ଅବଧି ମଧ୍ୟରେ ୧୨୦.୩ ମିମି ବର୍ଷା ହୋଇଯାଇଥିବା ବେଳେ ଏହା ସ୍ବାଭାବିକ ବର୍ଷା ପରିମାଣ ୧୧୪.୯ ମିମିଠାରୁ ୫% ଅଧିକ। ହେଲେ ରାଜ୍ୟରେ ବର୍ଷାରେ ଅସମାନତା ଏବେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଜୁନ୍ ୧ରୁ ୧୫ ତାରିଖ ଯାଏଁ ରାଜ୍ୟରେ ବର୍ଷାର ସ୍ଥିତି ନିଅଣ୍ଟିଆ ରହିଥିବା ବେଳେ ଗତ ୫ ଦିନର ବର୍ଷା ଏହି ସ୍ଥିତିରେ ସୁଧାର ଆଣିଛି। ତଥାପି କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ପୁରୀ ଓ ବାଲେଶ୍ବର ଜିଲ୍ଲାରେ ୨୦ରୁ ୫୯% ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିଛି। ଅନ୍ୟପଟେ ସୁନ୍ଦରଗଡ଼ ଓ ଦେବଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୬୦%ରୁ ଅଧିକ। ଏଥିସହ ରାଜ୍ୟର ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଜଗତସିଂହପୁର ଆଦି ୬ ଜିଲ୍ଲାରେ ଅଧିକ ବର୍ଷିଥିବା ବେଳେ ୧୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।
ସକ୍ରିୟ ମୌସୁମୀ ବାୟୁ ଯୋଗୁଁ ରାଜ୍ୟରେ ୨୬ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ରର ସୂଚନା ମୁତାବକ, ଉତ୍ତର-ପୂର୍ବ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ନିମ୍ନ ଚାପକ୍ଷେତ୍ରରେ ପରିଣତ ହୋଇଛି। ଆଜି ସକାଳେ ଏହା ଦକ୍ଷିଣ ବିହାର ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିଲା। ଏହାସହ ଜଡ଼ିତ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ସହ ଦକ୍ଷିଣ ଆଡ଼କୁ ଘୂର୍ଣ୍ଣିବଳୟ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆପେ ଆପେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟରେ ଏକ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆଜି ଅନେକ ସ୍ଥାନରେ ପାଗ କୋହଲା ରହିଥିଲା। ଏଥିସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ବି ହୋଇଯାଇଛି। ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ହେବାର ସମ୍ଭାବନା ରହିଛି। ୨୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।