ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ,ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବ

ରାଜଧାନୀରୁ ପଶ୍ଚିମ ଓଡ଼ିଶା, ପ୍ରବଳ ବର୍ଷା । ଟୁଇନ ସିଟିରେ ରାତିରୁ ବର୍ଷୁଛି । ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଗାଙ୍ଗେୟ ପଶ୍ଚିମବଙ୍ଗ, ପାର୍ଶ୍ଵବର୍ତ୍ତୀ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ସୀମାନ୍ତରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।  ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବ ।  ବରଗଡ଼, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୧ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ ନୂଆପଡ଼ାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ‘ୟେଲୋ ଆଲର୍ଟ’ ଜାରି ହୋଇଛି । ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକରେ ୩ ନମ୍ବର ସ୍ଥାନୀୟ ବିପଦ ସଙ୍କେତ ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ଆଜି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସ୍ପଷ୍ଟ ବାରଣ କରାଯାଇଛି । ଏହା ସହିତ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a comment