ଆଜି ଭୀଷଣ ବର୍ଷା , ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ
ଲଘୁଚାପ ଆଣୁଛି ବଡ଼ ବର୍ଷା । ଉତ୍ତରପୂର୍ବ ବଙ୍ଗୋପସାଗରର ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେଉଛି । ରାଜ୍ୟରେ ବନ୍ୟା ପରିସ୍ଥିତି ବେଳେ ବଙ୍ଗୋପସାଗରରେ ପୁଣି ଲଘୁଚାପ ବଢ଼ାଇଲା ଭୟ । ୧୨ ଘଣ୍ଟା ଭିତରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତର ରୂପ ନେବାର ଆଶଙ୍କା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିବ । ଲଘୁଚାପ ପ୍ରଭାବରେ ୫ ଦିନ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଆଲର୍ଟ ଜାରି କରାଯାଇଛି । ଆଜି ଭୀଷଣ ବର୍ଷା ପଇଁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଦିଆଯାଇଛି ରେଡ ୱାର୍ଣ୍ଣିଂ । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ଚେତାବନୀ ଦିଆଯାଇଛି । ଆସନ୍ତାକାଲି କେନ୍ଦୁଝରକୁ ରେଡ ଆଲର୍ଟ ଏବଂ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏପଟେ ଏବେବି ଅନେକ ସ୍ଥାନରେ ଲୋକମାନେ ବନ୍ୟା ପାଣି ଘେରରେ ଅଛନ୍ତି । ଏକର ଏକର ଜମିର ଫସଲ ନଷ୍ଟ ସହ ବହୁ ଘରଦ୍ବାର ଭାଙ୍ଗି ଯାଇଛି । ଏପରିସ୍ଥିତିରେ ଲଘୁଚାପ ବର୍ଷାକୁ ନେଇ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି ।