ଯୋଡ଼ା ଲଘୁଚାପର ପ୍ରଭାବ,ଆଜି ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଯୋଡ଼ା ଲଘୁଚାପର ପ୍ରଭାବ । ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପାଗ ଉପରେ ନଜର ରଖିବା ଏବଂ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରସ୍ତୁତ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ସେପଟେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତରେ ୫ ଜଣଙ୍କ ଜୀବନ ଯାଇଛି । ଯାଜପୁର, ସମ୍ୱଲପୁର, ଭଦ୍ରକ, ଜଗତସିଂହପୁର ଓ ଗଜପତି ଜିଲ୍ଲାରେ ଜଣେ ଲେଖାଏଁ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଯାଜପୁର ଜିଲ୍ଲା ମଧୁସୂଦନ ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗାଁ ନିକଟରେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ହେଲେ ବଳଭଦ୍ରପୁର ଗାଁର ଭାଗିରଥି ନାଏକ ।

ସେପଟେ ସମ୍ୱଲପୁର କୁଚିଣ୍ଡା ଥାନା ସୁବର୍ଣ୍ଣପାଲି ଠାରେ ବିଲରେ ଚାଷୀ କାମ କରୁଥିବା ବେଳ ବଜ୍ରପାତ । ବର୍ଷା ହେବାରୁ ନିମ୍ୱ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହେବାରୁ ଗଛ ଜଳିଗଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସେହିପରି ବଜ୍ରପାତରେ ଭଦ୍ରକ ବ୍ଲକର କୁଡ଼ବରୁଆ ଗାଁର ଜଣେ କଲେଜ ଛାତ୍ରଙ୍କ ଜୀବନ ଯାଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗବ୍ଲକ ଜଳନ୍ଧରପୁରରେ ବି ହଠାତ ଘଡ଼ଘଡ଼ି ଓ ବର୍ଷା ସହ ବଜ୍ରପାତ ହେବାରୁ ଜଣକ ଜୀବନ ଯାଇଛି । ଚାଷ କାମ କରିବା ବେଳେ ବଜ୍ରପାତ ହେବାରୁ ଚାଷୀଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତକ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗଜପତି ଜିଲ୍ଲାରେ ମଧ୍ୟ ବଜ୍ରପାତରେ ଜଣେ ମୃତ୍ୟୁବରଣ କରିଥିଲା ଖବର ମିଳିଛି ।

Leave a comment