ସକାଳୁ ସକାଳୁ ଲଗାଣ ବର୍ଷାରେ ଭିଜୁଛି ଟ୍ବିନସିଟି,ଆଜି ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସକାଳୁ ସକାଳୁ ଲଗାଣ ବର୍ଷାରେ ଭିଜୁଛି ଟ୍ବିନସିଟି। ୨୩ରୁ ସକ୍ରିୟ ହେବ ମୌସୁମୀ ।  ଅଧିକ ଅଗ୍ରସର ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।  ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି ।  ଆସନ୍ତାକାଲି ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଛୁଇଁବ ମୌସୁମୀ ।  ଓଡ଼ିଶାରେ ମୌସୁମୀ ପହଞ୍ଚି ସାରଥିଲେ ବି ଏପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ଛୁଇଁ ନାହିଁ ।  ଆସନ୍ତାକାଲି ଆଡ଼କୁ ମହରାଷ୍ଟ୍ର, ତେଲେଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ, ବିହାରର ଏବଂ ଛତିଶଗଡ଼ର ଆଉ କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।  ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ।  ଆଜି ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ମୌସୁମୀ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ପରିମାଣ ବଢ଼ିବ । ତେବେ ୨୮ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହା କହିଛନ୍ତି । ପାଣିପାଗ ବିଭାଗର ଆକଳନ କହୁଛି, ସୋମବାର ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର,କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ତେବେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୨୩, ୨୪ ଓ ୨୫ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।

ରବିବାର ସୋନପୁରରେ ୪୯.୨ ମିମି ବର୍ଷା ରେକର୍ଡ ହୋଇଛି । ନୟାଗଡ଼ରେ ୫ମିମି, ମାଲକାନଗିରିରେ ୩.୨, ସମ୍ବଲପୁରରେ ୨.୪, ବରଗଡ଼ରେ ୨.୨ ମିମି ବର୍ଷା ହୋଇଛି। ରବିବାର ଝାରସୁଗୁଡ଼ାକୁ ଛାଡି ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ସମ୍ବଲପୁରରେ ୩୯.୮, ହୀରାକୁଦରେ ୩୯.୩, ସୁନ୍ଦରଗଡ଼ରେ ୩୮.୫, ବଲାଙ୍ଗିରରେ ୩୮.୨, ଢେଙ୍କାନାଳରେ ୩୭.୬ ଓ ନୂଆପଡ଼ାରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିର ଦିନ ତାପମାତ୍ରା ସବୁଠୁ କମ୍ ବା ୨୮.୫ ଡିଗ୍ରୀ ରେକର୍ଡ ହୋଇଥିଲା ।

Leave a comment