ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୪୬ ଡିଗ୍ରୀ ଟପିଛି ତାପମାତ୍ରା
ଆକାଶରୁ ବର୍ଷୁଛି ନିଆଁ । ରାତି ନପାହୁଣୁ ଅସହ୍ୟ ଗରମ ଓ ଗୁଳୁଗୁଳି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ୪୬ ଡିଗ୍ରୀ ଟପିଛି ତାପମାତ୍ରା । ରାଜ୍ୟରେ ଦୁଇ ଦୁଇଟି ସ୍ଥାନରେ ପାରଦ ୪୬ ଡିଗ୍ରୀ ଛୁଇଁଛି । ଗତକାଲି ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ୪୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିଲା । ଆଜି ମଧ୍ୟ ସ୍ଥିତି ସମାନ ରହିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦୁଇ ସହରରେ ଆଜି ମଧ୍ୟ ତାପମାତ୍ରା ୪୬ ଡିଗ୍ରୀ ଉପରେ ରହିବ। ବୌଦ୍ଧ, ସୋନପୁର, ଅନୁଗୁଳ ଏବଂ ଟିଟିଲାଗଡ଼ରେ ୪୫ ଡିଗ୍ରୀ ଟପିବା ସମ୍ଭାବନା ରହିଛି । ଆଜି ୨୭ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ। ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ପୂରା ରାଜ୍ୟ ଅସହ୍ୟ ତାତିରେ ଆଉଟୁପାଉଟୁ ।
ଆଜି ଦୁଇ ତିନିଟି ସ୍ଥାନକୁ ଛାଡ଼ି ଅନ୍ୟ ସବୁଠି ୪୦ ଡିଗ୍ରୀ ଟପିବ ତାପମାତ୍ରା । ପ୍ରଚଣ୍ଡ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଗରମ ଓ ଗୁଳୁଗୁଳି ପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୧୯ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଥିବା ବେଳେ ସମ୍ବଲପୁର ଓ ବଲାଙ୍ଗିରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏଭଳି ସ୍ଥିତି ଆସନ୍ତା ୨୪ ତାରିଖ ଯାଏଁ ଜାରି ରହିବା ଆଶଙ୍କା ।