ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି,ଆଗାମୀ ୩ ଦିନରେ ବଢିବ ଦିନ ତାପମାତ୍ରା

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । କାଳବୈଶାଖୀ ପ୍ରଭାବ ରହୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ପାରଦ ଉପରମୁହାଁ ହୋଇଛି ।  ଆଗାମୀ ୩ ଦିନରେ ବଢିବ ଦିନ ତାପମାତ୍ରା । ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢିପାରେ ପାରଦ। ୧୯ ଓ ୨୦ ତାରିଖ ବେଳକୁ ବଲାଙ୍ଗିର, ଟିଟିଲାଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ ।  ଏହି ସମୟରେ ଉପକୂଳ ଓଡ଼ିଶାରେ ପାରଦ ୪୨ ଡିଗ୍ରୀ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା ରେକର୍ଡ କରାଯାଇଥିଲା ।  ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରୀ ଥିଲା। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗିରହିବ । ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଅଧିକ ରହିବ ।

ଦୁଇଦିନ ତଳେ ସୂଚନା ଥିଲା କି, ରାଜ୍ୟରେ ପାଗରେ ପରିବର୍ତ୍ତନ ସହ ଆସନ୍ତା କିଛି ଦିନ ମଧ୍ୟରେ ଖରାର ପ୍ରଭାବ ବଢ଼ିବା ସହ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଦେବ ବୋଲି ପୂର୍ବାନୁମାନ କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ସହ ବର୍ଷା, ବଜ୍ରପାତ ଓ ଝଡ଼ ପବନର ସମ୍ଭାବନା ରହିଥିଲା ।  ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଥିଲା ।

Leave a comment