ଭଦ୍ରକ ଜିଲ୍ଲାର ଧାମନଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି କାଳବୈଶାଖୀ
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ୫ ଟାରୁ ୬ ପର୍ଯ୍ୟନ୍ତ ହୋଇଥିବା ଭୟଙ୍କର କାଳବୈଶାଖୀ ଲୋକଙ୍କ ମନରେ ଆତଙ୍କ ଖେଳାଇଦେଇଛି। ହଠାତ୍ ଆକାଶ କଳାମେଘରେ ଢାଙ୍କିଯାଇଥିବାବେଳେ ଝଡ଼ର ରୂପ ନେଇ ପ୍ରବଳ ପବନ ସହ ମୁଷଳଧାରା ବର୍ଷା ଧାମନଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାୟ ଏକ ଘଣ୍ଟା ଧରି ତୀବ୍ର ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ଲୋକମାନଙ୍କୁ ଭୟଭୀତ କରିଦେଇଥିଲା। ପ୍ରବଳ ପବନ ପ୍ରଭାବରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଓ ଘର ଉପରେ ପଡ଼ିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଧାମନଗର-ଚୁଡ଼ାକୁଟି ରାସ୍ତାରେ ଗଛ ପଡ଼ିବା ଦ୍ୱାରା ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି କୁସୁମା, ଖଡିପଦା, କାଞ୍ଜିଆପାଳ ଓ ବ୍ଲକ ବଜାର ଅଞ୍ଚଳରେ ଗଛ ଭାଙ୍ଗି ବିଦ୍ୟୁତ୍ ଖୁଣ୍ଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା। ଝଡ଼ର ତୀବ୍ରତା ଏତେ ଅଧିକ ଥିଲା ଯେ ବହୁ ସ୍ଥାନରେ ମୋଟର ସାଇକେଲ ମଧ୍ୟ ଉଡାଇ ରାସ୍ତା କଡରେ ପକାଇଦେଇଥିବା ଦେଖିବାକୁ ମିଳିଥିଲା। ଅନେକ ଚାଳ ଘରର ଛପର ଉଡ଼ିଯାଇଥିବା ବେଳେ କେତେକ ଗରିବ ପରିବାର ଖୋଲା ଆକାଶ ତଳେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।