ପ୍ରତିବାଦକାରୀଙ୍କ ଭୟରେ ବାସଭବନରୁ ଖସି ପଳାଇଥିବା ରାଷ୍ଟ୍ରପତି

ଶ୍ରୀଲଙ୍କାରେ ରାଜନୀତି ଏଭଳି ଅବସ୍ଥାରେ ଆସି ପହଁଚିଛି ଯେତେବେଳେ ରାଷ୍ଟ୍ରପତିଙ୍କୁ ଲୁଚିବାକୁ ପଡୁଛି । ସରକାରଙ୍କ ଉପରେ ଲୋକେ ଏତେ ଅତିଷ୍ଟ ହୋଇପଡିଛନ୍ତି ଯେ ରାଜରାସ୍ତାକୁ ଆସି ପ୍ରତିବାଦ କରୁଛନ୍ତି । ରାଜ୍ୟରେ ଦରଦାମ କମିବାର ନା ଧରୁଥିବାରୁ ବେଳେ ନିଯୁକ୍ତି ନାହିଁ । ସରକାର ଦରମା ଦେଇପାରୁନାହାଁନ୍ତି । ବାହାର ଦେଶରୁ ପେଟ୍ରୋଲ ଡିଜେଲ କିଣିପାରୁନଥିବାରୁ ଦେଶର ପେଟ୍ରୋଲ ଟାଙ୍କି ଖାଲି ପଡିଛି । ଏସବୁ ବିରୋଧରେ ପ୍ରତିବାଦକାରୀମାନେ ଘେରାଉ କରିବାରୁ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ କଲମ୍ବୋସ୍ଥିତ ସରକାରୀ ବାସଭବନରୁ ଖସି ପଳାଇଥିବା କଥା ଶ୍ରୀଲଙ୍କା ଗଣମାଧ୍ୟମରେ ପ୍ରସାରିତ ହେଉଛି ।

ପୋଲିସ ପ୍ରତିବାଦକାରୀଙ୍କ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ ବି ରାଷ୍ଟ୍ରପତିଙ୍କ ବାସଭବନ ଘେରାଉ କରିଥିବା ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାରେ ଅସମର୍ଥ ହୋଇଥିଲା । ବାରିକେଡ୍‌ ଭାଙ୍ଗି ହଜାର ହଜାର ପ୍ରତିବାଦକାରୀମାନେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ‘ଫୋର୍ଟ’ର ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲେ। ଫାଙ୍କା ଗୁଳି ଚାଳନା କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରି ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାରେ ବିଫଳ ହେବା ପରେ ପୁଲିସ ମଧ୍ୟ ସେ ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଥିଲେ। ଆଗକୁ ବିପଦ ଆସୁଥିବା ଦେଖି ଶ୍ରୀଲଙ୍କା ରାଷ୍ଟ୍ରପତି ରାଷ୍ଟ୍ରପତି ଭବନ ଛାଡି ହେଲିକପ୍ଟରରେ କେଉଁଆଡ଼େ ଚାଲିଯାଇଛନ୍ତି । ତେବେ ସେ କୁଆଡେ ଯାଇଛନ୍ତି ତାହା ସୁରକ୍ଷାବାହିନୀ ପକ୍ଷରୁ କୁହାଯାଇନାହିଁ । ଶ୍ରୀଲଙ୍କାରେ ଆର୍ଥିକ ପରିସ୍ଥିତ ଉତ୍କଟ ହେବାରୁ ମାର୍ଚ ମାସରୁ ଅଗଣିତ ପ୍ରତିବାଦକାରୀ ରାଷ୍ଟ୍ରପତି ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଆସୁଥିଲେ। କିନ୍ତୁ ରାଷ୍ଟ୍ରପତି ଇସ୍ତଫା ଦେଉନଥିବାରୁ ଏବେ ଆନ୍ଦୋଳନ ତୀବ୍ର କରିଛନ୍ତି ପ୍ରତିବାଦକାରୀ ।