ରୋମାଞ୍ଚକର ମ୍ୟାଚରେ ଭାରତ ୪ ଓ୍ବିକେଟରେ ବିଜୟୀ

ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପରେ ଭାରତ ଶେଷ ଓଭରର ଶେଷ ବଲରେ ବିଜୟୀ ହୋଇଛି । ବିରାଟ କୋହଲି ୮୨ ରନ କରି ଏକ ମ୍ୟାଚ ବିଜୟୀ ପାଳି ଖେଳିଛନ୍ତି । ଶେଷ ବଲରେ ଭାରତ ୨ ରନର ଦରକାର କରୁଥିବାବେଳେ  ବୋଲର ମହମ୍ମଦ ନଓ୍ବାଜ ଗୋଟିଏ ଓ୍ବାଇଡ୍ ପକାଇବାରୁ ଭାରତ ୧ ବଲରେ ୧ ରନ ଆବଶ୍ୟକ କଲା । ଅଶ୍ବିନୀ ଶେଷ ବଲରେ ୧ ରନ କରି ଭାରତ ପାଇଁ ବିଜୟ ଆଣି ଦେଇଥିଲେ ।

ଭାରତୀୟ ଦଳ ଆରମ୍ଭରୁ ୪ଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତିକୁ ସମ୍ଭାଳିବା ସହ ପାକିସ୍ତାନୀ ବୋଲରଙ୍କ ଉପରେ ପ୍ରତି ଆକ୍ରମଣ ଆରମ୍ଭ କରିଦେଇଥିଲେ ।

୩ ନମ୍ବର ସ୍ଥାନରେ ଆସିଥିବା ବିରାଟ କୋହଲି ଆରମ୍ଭରୁ ସତର୍କତାର ସହ ଖେଳିଥିଲେ । ଗୋଟିଏ ପଟେ ଓ୍ବିକେଟ ପଡ଼ିଚାଲିଥିବାବେଳେ ସେ ସତର୍କତାର ସହ ଖେଳି ସ୍ଥିତିକୁ ସମ୍ଭାଳିଥିଲେ । ତାଙ୍କୁ ଏ କ୍ଷେତ୍ରରେ ସହଯୋଗ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସ୍ଥିତିକୁ ସମ୍ଭାଳିବା ପରେ ଉଭୟ ବ୍ୟାଟ୍ସମ୍ୟାନ ପାକିସ୍ତାନୀ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଦେଇଥିଲେ । ପାଣ୍ଡ୍ୟା ୪୦ ରନ କରିଥିଲେ ।

ଟିମ୍ ଇଣ୍ଡିଆ ପକ୍ଷରୁ ପ୍ରଥମେ ଓପନିଂ କିରବାକୁ ଆସିଥିବା ଅଧିନାୟକ ରୋହିତ ଶର୍ମା ଓ କେଏଲ୍ ରାହୁଲ ୪ ରନ୍‌ ଲେଖାଏ କରି ଆଉଟ ହୋଇଥିଲେ। ଏହାପରେ ଆସିଥିଲେ ବିରାଟ କୋହଲି। ସେ ରକ୍ଷଣଶୀଳ ଢ଼ଙ୍ଗରେ ବ୍ୟାଟିଂ କରିଥିବା ବେଳେ ତାଙ୍କୁ ସାଥ୍ ଦେଇଥିଲେ ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାର ମାତ୍ର ୧୫ ରନ୍‌ କରି ସେ ପ୍ୟାଭିଲିଅନ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟଙ୍କ ଯୋଡ଼ି ଟିମ୍‌କୁ ପୁଣି ସହଜ ସ୍ଥିତିକୁ ଆଣିଥିଲା। ଦୁହେଁ ମିଶି ଦଳର ସ୍କୋର ୧୪୪ରେ ପହଞ୍ଚାଇଥିବା ବେଳେ ଶେଷ ଓଭରର ପ୍ରଥମ ବଲ୍‌ରେ ପାଣ୍ଡ୍ୟାଙ୍କ ଓିକେଟ୍ ଯାଇଥିଲା। ଏହାପରେ ପଡ଼ିଆରେ ଭାରତୀୟ ଦର୍ଶକଙ୍କ ମଧ୍ୟରେ ନିରବତା ଖେଳି ଯାଇଥିଲା।

ଅନ୍ୟପଟେ ବିରାଟଙ୍କ ଚୌକା ଛକା ପୁଣିଥରେ ଟିମ୍‌ ଇଣ୍ଡିଆକୁ ଜିତିବାର ଆଶା ଦେଖାଇଥିଲା। ଶେଷ ଓଭରରେ ୧୬ ରନ୍‌ ଥିବା ବେଳେ କୋହଲିଙ୍କ ଚମତ୍କାର ବ୍ୟାଟିଂ ବଳରେ ଟିମ୍‌ ଇଣ୍ଡିଆ ଟାର୍ଗେଟ ରନ୍‌ର ନିକଟତର ହୋଇଥିଲା। ହେଲେ ଶେଷ ଦୁଇ ବଲ୍‌ରେ ମାତ୍ର ଦୁଇ ରନ୍‌ ଥିବା ବେଳେ ଦୀନେଶ କାର୍ତ୍ତିକ ୧ ରନ୍‌ କରି ଆଉଟ ହେବାପରେ ଟିମ୍‌ ଇଣ୍ଡିଆକୁ ପୁଣି ଅଡ଼ୁଆରେ ପକାଇଥିଲା। ଏହାପରେ ଶେଷ ବଲ୍‌ରେ ଦୁଇ ରନ୍‌ ଥିବା ବେଳେ ୱାଇଟ ପଡିବାରୁ ଆଉ ଜିତିବାକୁ ୧ ରନ୍‌ ବାକିିରହିଥିଲା। ଅଶ୍ୱିନି ୧ ରନ୍ କରିବା ସହ ଟିମ୍‌ ଇଣ୍ଡିଆ ପାଇଁ ବିଜୟ ଆଣିଦେଇଥିଲେ। କୋହଲି ୫୩ ବଲରୁ ଅପରାଜିତ ୮୨ ରନ୍ କରିିଥିବା ବେଳେ ୬ ଚୌକା ଏବଂ ୪ ଟି ଛକା ମାରିଥିଲେ।  

ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା। ପାକିସ୍ତାନର ଦୁଇ ଓପନର ମହମ୍ମଦ ରିଜଓ୍ବାନ ମାତ୍ର ୪ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ବାବର ଆଜମ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇପାରିନଥିଲେ ।