ଆଶ୍ରିତାଙ୍କ ବୟ ଫ୍ରେଣ୍ଡଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଏମ୍ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ଆଶ୍ରିତାଙ୍କ ବୟଫ୍ରେଣ୍ଡକୁ ଗିରଫ କଲା କମିଶନରେଟ ପୁଲିସ । ଆଶ୍ରିତାଙ୍କ ସୁଇସାଇଡ୍ ନୋଟକୁ ଭିତ୍ତି କରି ତାଙ୍କୁ ଗିରଫ କରିଛି ପୁଲିସ । ଗତକାଲି ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାରର ଏକ ଭଡାଘରୁ ଆଶ୍ରିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ସେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏମସିଏ ପଢୁଥିଲେ ।
ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାଶଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ଆଶ୍ରିତାଙ୍କ ସୁଇସାଇଡ୍ ନୋଟ୍ରେ ତାଙ୍କ ପୁରୁଷ ବନ୍ଧୁ ସତ୍ୟଙ୍କ ନାମ ଉଲ୍ଳେଖ ରହିଛି। ସେ ଆଶ୍ରିତାଙ୍କୁ ନିର୍ଯାତନା ଦେଉଥିବାରୁ ଆଶ୍ରିତା ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିଥିଲେ ।
ସୂଚନା ଅନୁସାରେ ସତ୍ୟ ଓ ଆଶ୍ରିତାଙ୍କ ମଧ୍ୟରେ ୯ ବର୍ଷର ପ୍ରେମ ସମ୍ପର୍କ ରହିଥିଲା । ଉଭୟ ଗୋଟିଏ ଗାଁର ହୋଇଥିବାରୁ ସଂପର୍କ ବଢ଼ିଥିଲା। ସତ୍ୟ ପ୍ରକାଶ ଇନୋଫସିସର ବେଭେରେଜ୍ ବିଭାଗରେ କାମ କରୁଛନ୍ତି। ୨୦୧୯ ମସିହାରୁ ଆଶ୍ରିତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ସଂପର୍କ ଗଢ଼ି ଉଠିଥିଲା, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହେଉଥିବା ଜଣାପଡିଛି ।
ଆଶ୍ରିତା ଏକ ଘରୋଇ ଇଂଜିନିୟରିଂ କଲେଜ୍ରେ ଏମ୍ସିଏ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରୀ ଥିଲାବେଳେ ସେ ଆଚାର୍ଯ୍ୟବିହାର ପାଣିଟାଙ୍କି ନିକଟରେ ଏକ ଭଡ଼ା ଘରେ ରହୁଥିଲେ। ମଙ୍ଗଳବାର ଆଶ୍ରିତା କଲେଜ୍ ଯାଇଛି କି ନାହିଁ, ବୁଝିବା ପାଇଁ ତାଙ୍କ ବାପା ବିଜୟ ସେନାପତି ଫୋନ୍ କରିଥିଲେ। ଝିଅ ଫୋନ୍ ନଉଠାଇବାରୁ ତାଙ୍କର ସନ୍ଦେହ ହୋଇଥିଲା ଏବଂ ଚନ୍ଦ୍ରଶେଖରପୁରରେ ରହୁଥିବା ବିଜୟ ଝିଅକୁ ଦେଖିବା ପାଇଁ ପାଖାପାଖି ୧୧ଟା ବେଳେ ଆଚାର୍ଯ୍ୟ ବିହାର ଆସିଥିଲେ। ସେତେବେଳେ ସେ ଦେଖିଥିଲେ ଝିଅ ଫ୍ୟାନ୍ରେ ଝୁଲୁଛି । ପରେ ଆଖାପାଖ ଲୋକେ ଧାଇଁ ଆସିଥିଲେ ଓ କବାଟ ଭାଙ୍ଗି ଆଶ୍ରିତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ମାତ୍ର ସେତେବେଳକୁ ଆଶ୍ରୀତାଙ୍କ ମୃତ୍ୟୁ ହୋଇସାରିଥିଲା । ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରି ଆଶ୍ରିତାଙ୍କ ମୋବାଇଲ୍ ଫୋନ୍କୁ ଜବତ କରିଥିଲା। ପରେ ଏସବୁ ପଛରେ ପୁରୁଷ ବନ୍ଧୁଙ୍କ ନିର୍ଯାତନା ଥିବା ଆଶ୍ରୀତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ।