ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ,ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ
ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ତେବେ ଏହି ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ । ସୂର୍ଯ୍ୟପରାଗ କିଛି କ୍ଷଣ ବା ମୁହୂର୍ତ୍ତ ପାଇଁ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେଉନଥିବାରୁ ଏହା ଆଦୌ ପାଳନୀୟ ନୁହେଁ । ସୂର୍ଯ୍ୟପରାଗ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେଉ ନଥିବାରୁ ପାକ ଛାଡ କିମ୍ବା ଦେବ ନୀତି ବନ୍ଦ ହେବ ନାହିଁ ।
ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର । ସେହିପରି ଅଗଷ୍ଟ ୨୮ ତାରିଖରେ ଆଂଶିକ ଚନ୍ଦ୍ରଗ୍ରହଣ ପଡୁଛି । ଏହା ମଧ୍ୟ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେବ ନାହିଁ । ତେବେ ମାତ୍ର ୧୫ ଦିନ ବ୍ୟବଧାନରେ ଗୋଟିଏ ସୂର୍ଯ୍ୟପରାଗ ଓ ଗୋଟିଏ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶାସ୍ତ୍ର ,ଇତିହାସ ଆଧାରରେ ଏହା ବିଶ୍ୱ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।
୨୦୧୯ ମସିହାରେ ମଧ୍ୟ ଏଭଳି ୧୫ ଦିନ ବ୍ୟବଧାନରେ ଗୋଟିଏ ସୂର୍ଯ୍ୟପରାଗ ଓ ଗୋଟିଏ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହୋଇଥିଲା।ଫଳରେ ଯୁଦ୍ଧ,ମାରଣାସ୍ତ୍ର,କଳହ ଓ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେବ ବୋଲି ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ଶାସ୍ତ୍ର ଓ ଇତିହାସ ଆଧାରରେ ଏହା କହିଛନ୍ତି । ତେବେ ଆସନ୍ତା ୧୨ ତାରିଖରେ ସମଗ୍ର ବିଶ୍ବ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ପାଇବେ ।
ଆସନ୍ତା ଅଗଷ୍ଟ ୧୨ ତାରିଖ ବୁଧବାର ଅମାବାସ୍ୟା ରେ ପଡ଼ିବ ୨୦୨୬ ମସିହାର ଦ୍ୱିତୀୟ ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ । ୧୨ ତାରିଖ ରାତି ଭାରତୀୟ ସମୟ ୯.୪ ମିନିଟ୍ ରେ ଆରମ୍ଭ ହେବ ଏବଂ ଅଗଷ୍ଟ ୧୩ ସକାଳ ୪.୨୫ ମିନିଟ୍ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ରହିବ । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଆସି ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ଦେବ । ଫଳରେ ଉତ୍ତର ଆମେରିକା ,ଦକ୍ଷିଣ ଆମେରିକା,ୟୁରୋପର କିଛି ଅଂଶ ଯେଉଁ ଅଞ୍ଚଳରୁ ସମ୍ପୂର୍ଣ୍ଣ ପରାଗ ଦେଖାଯିବ, ସେଠାରେ ଦିନବେଳେ କିଛି ସମୟ ପାଇଁ ରାତି ଭଳି ଅନ୍ଧାର ହୋଇଯିବ ।