ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା
ଉପମୁଖ୍ୟମନ୍ତ୍ରୀ ବଣ୍ଡାଘାଟିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କୁ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷାରେ ସ୍ୱାଗତ କରିଥିଲେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ୨୯୩୨ ହିତାଧିକାରୀଙ୍କ ଘରକୁ ପ୍ରଶାସନ ପହଞ୍ଚି ସେମାନଙ୍କୁ ଯୋଜନାରେ ସାମିଲ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବଣ୍ଡାଘାଟିରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ ପରେ ବଣ୍ଡାଘାଟିକୁ ବିକାଶସ୍ରୋତରେ ସାମିଲ୍ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିଶ୍ରୁତି ଦେଇଛନ୍ତି ।
ଆବାସ ଯୋଜନା ପାଇଁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବଣ୍ଡା ମହିଳା ପାନୀୟ ଜଳ ସମସ୍ୟା, ଲକ୍ଷ୍ମୀ ବସ୍ ପହଞ୍ଚୁନଥିବା, ଅନେକ ଗାଁକୁ ପକ୍କା ରାସ୍ତା ନଥିବା ଏବଂ ମୋବାଇଲ୍ ଟାୱାର ନଥିବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ପିଇବା ପାଣି ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ଘରକୁ ନଳ ମାଧ୍ୟମରେ ଜଳ ଯୋଗାଣ, ଜନଜାତି ବସବାସ କରୁଥିବା ଅଞ୍ଚଳରେ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି ଓ ମୁଦୁଲିପଡ଼ାଠାରେ ସାପ୍ତାହିକ ହାଟ ସ୍ଥାପନ ନିମନ୍ତେ ଜିଲ୍ଲାପାଳଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଗତ ୨୪ ବର୍ଷର ସରକାରରେ ଅଣଦେଖାର ଶିକାର ହୋଇଛି ବଣ୍ଡାଘାଟି। ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିନାହାନ୍ତି ଆଦିମ ବଣ୍ଡା ଜନଜାତି। ବଣ୍ଡାଘାଟିକୁ ଆବାସ ଅପହଞ୍ଚ ପାଲଟିଥିବା ବେଳେ ସୁଭଦ୍ରା ଯୋଜନାରେ ବି ହିତାଧିକାରୀ ହୋଇପାରିନାହାନ୍ତି ଉପକୃତ।