ବିଜେପିରେ ବଢ଼ୁଛି ଅସହିଁଷ୍ଟୁତା!

ଭୁବନେଶ୍ବର: ଓଡ଼ିଶାରେ ଦ୍ବିତୀୟ ବୃହତ୍ତମ ବିରୋଧୀ ଦଳ ଭାବେ ମାନ୍ୟତା ପାଇଥିବା ବିଜେପି କ୍ରମେ କ୍ରମେ ଲୋକପ୍ରିୟତା ହରାଇବାକୁ ବସିଲାଣି  । ପୈାର ଏବଂ ପଂଚାୟତ ନିର୍ବାଚନ ହେଉ କିମ୍ବା ବିଧାସଭା ପାଇଁ ଉପନିର୍ବାଚନ ବାରମ୍ବାର ଦଳର ବିଫଳତା ସତ୍ତ୍ବେ ନେତାଙ୍କ ଭିତରେ ଚେତା ପଶୁନାହିଁ । ଦଳ ଭିତରେ ଗୋଷ୍ଠୀ ବିବାଦ ଜଳ ଜଳ ହୋଇ ଦିଶୁଛି ।

ଏଠାରେ ସୂଚନାଯୋଗ୍ୟ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥ ଦ୍ରୈାପଦୀ ମୁର୍ମୁ ନିଜ ସପକ୍ଷରେ ପ୍ରଚାର ପାଇଁ ଗତ 8 ତାରିଖ ଦିନ  ଓଡ଼ିଶା ଆସିଥିବା ବେଳେ ରାଜ୍ୟ ଅତିଥି ଭବନରେ ଏକ ଅଶୋଭନୀୟ ଦୃଶ୍ୟ  ଦୃଷ୍ଟିକୁ ଆସିଥିଲା । ବିଏମସିର ବିଜେପି ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ୍ ଦ୍ରୈାପଦୀ ମୁର୍ମୁଙ୍କୁ ସ୍ବାଗତ କରିବା ପାଇଁ ସେଠାରେ ଅପେକ୍ଷା କରିଥିଲେ । ଏହି ସମୟରେ ଦଳର ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ତାଙ୍କୁ ଏଠାରୁ ହଟ ହଟ ବୋଲି ଯେଭଳି ଭାବେ ବ୍ୟବହାର କଲେ ତାହା ଦଳର କିଛି ନେତା ମଧ୍ୟ ନାପସନ୍ଦ କରୁଛନ୍ତି । ମେୟର ପ୍ରାର୍ଥୀ ଶ୍ରୀମତୀ ମୁଣ୍ଡ୍ ସାଂସଦ ଅପରାଜିତାଙ୍କ ଦ୍ବାରା ଚୟନ ହୋଇ ନିର୍ବାଚନ ଲଢ଼ିଥିବାରୁ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ସହଜରେ ଗ୍ରହଣ କରିପାରୁନାହିଁ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି ।

ରାଜ୍ୟ ବିଜେପିରେ  ଧର୍ମେନ୍ଦ୍ରଙ୍କ ସମର୍ଥକ ଓ ଅପରାଜିତାଙ୍କ ସମର୍ଥକଙ୍କ ମଧ୍ୟରେ ଏକ ଅଘୋଷିତ ଲଢ଼େଇ ଲାଗିରହିଛି । ଯଦିବା ଧର୍ମେନ୍ଦ୍ର ଅପରାଜିତାଙ୍କ ବିରୋଧରେ ଖୋଲାଖୋଲି କିଛି କହୁନାହାଁନ୍ତି କିନ୍ତୁ ତାଙ୍କ ସମର୍ଥକମାନେ ଅପରାଜିତାଙ୍କ ଲୋକପ୍ରିୟତାରେ ଅସହିଷ୍ଣୁତା ପ୍ରକାଶ କରୁଥିବାର ପ୍ରମାଣ ବିଭିନ୍ନ ଘଟଣାରୁ ପରିଲିଖିତ ହୋଇଛି  । ସାଂଗଠନିକ ସ୍ତରରେ ମଧ୍ୟ ଉଭୟ ଗୋଷ୍ଠୀଙ୍କର ଛକାପଞ୍ଝା ଲାଗି ରହିଥିବାରୁ ସାଧାରଣ ଲୋକେ ବିଜେପି ଉପରୁ ଆସ୍ଥା ହରାଉବା ଦେଖିବାକୁ ମିଳୁଛି ।