ରେଲଓ୍ବେ ଅଣ୍ଡରପାସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବାଲେଶ୍ବର: ବାଲେଶ୍ବରର ଚାନ୍ଦବାଲି ବ୍ଲକ୍ ଜନ୍ତୁଳି ନୂଆ ଗାଁ ଗ୍ରାମପଂଚାୟତର ଶତାଧିକ ଚାଷୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଭଦ୍ରକ ଏବଂ ଧାମରା ମଧ୍ୟରେ ଆଦାନି ପୋର୍ଟ ଦ୍ବାରା କରାଯାଇଥିବା ରେଲଲାଇନ ଏହି ଚାଷୀଙ୍କ ପାଇଁ ଏବେ ଦୁର୍ବିସହ ହୋଇପଡିଛି । ଚାଷୀମାନଙ୍କ ଧାନ ବିଲ ମଧ୍ୟ ଦେଇଯାଇଥିବା ଏହି ରେଳ ଲାଇନ ଜନ୍ତୁଳି ନୂଆ ଗାଁ ଗ୍ରାମପଂଚାୟତ ନିକଟରେ 40ରୁ 50 ଫୁଟ ଉଚ୍ଚା ହୋଇଥିବା ବେଳେ ଏହି ଗ୍ରାମ ପଂଚାୟତ ଲୋକମାନେ ଗୋଟିଏ ପଟରୁ ଅନ୍ୟପଟକୁ ଯିବା ପାଇଁ କିଛି ବି ଅଣ୍ଡରପାସ ନାହିଁ । ଯାହା ଫଳେର ଲୋକମାନେ ସହଜରେ ଗୋଟିଏ ପାଖରୁ ଅନ୍ୟ ପାର୍ଶ୍ବକୁ 4ରୁ 5 କିଲୋମିଟର ବୁଲି ରେଳଧାରଣା ପାର ହେଉଛନ୍ତି ।

ଚାଷୀମାନେ ଆହୁରି ଲେଖିଛନ୍ତି ଯେ ସେମାନଙ୍କ ଗୃହପାଳିତ ପଶୁମଧ୍ୟ ଏହି ରେଳ ଲାଇନ ଉପରକୁ ଉଠି ଯିବା ଆସିବା ବିପଦପୂର୍ଣ୍ଣ ହୋଇଛି । ପ୍ରତିବର୍ଷ 25ରୁ ଅଧିକ ଗୃହପାଳିତ ପଶୁ ମଧ୍ୟ ଏଥିପାଇଁ ଅକାଳରେ ପ୍ରାଣ ହରାଉଛନ୍ତି । ଏପରିକି କଂପାନି ଦ୍ବାରା କରାଯାଇଥିବା ଡ୍ରେନେଜ ବ୍ୟବସ୍ଥା ପାଇଁ ପାଣି ମଧ୍ୟ ଜମି ରହୁଛି । ଯାହା କି ଅଧିକ ବିପଦପୂର୍ଣ୍ଣ ହୋଇଛି । ଏଭଳି ସମସ୍ୟା ଭିତରେ ଚାଷୀମାନେ ଫସି ରହିଥିବାରୁ ବାଧ୍ୟହୋଇ ଚାଷ କାମ ବନ୍ଦ କରିବାକୁ ପଡୁଛି । ରେଳ ଲାଇନ ସମସ୍ୟା ପାଇଁ ଅନେକ ଚାଷୀ ମଧ୍ୟ ଚାଷକାମ କରିପାରୁନାହାଁନ୍ତି । ଏହି ସମସ୍ୟା ନେଇ ଅଭିଯୋଗ କଲେ ମଧ୍ୟ ଚାଷୀଙ୍କ ଦୁଃଖ କେହି ବୁଝୁନାହାଁନ୍ତି କି ଶୁଣୁବି ନାହାଁନ୍ତି । ଏସବୁର ସମାଧାନ ପାଇଁ ଚାଷୀମାନେ ତୁରନ୍ତ ଅଣ୍ଡରପାସ ନିର୍ମାଣ ପାଇଁ ବିଶେଷ ଧ୍ୟାନ ଦେବାକୁ  ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।