ଆସନ୍ତା ୫ ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ,ନିରାଡ଼ମ୍ବରରେ ପାଳନ କରିବ ବିଜେଡି
ମେଟ୍ରୋ ଟିଭି ଓଡିଶା (୨ .୩ .୨୦୨୨) : ଆସନ୍ତା ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ବିଜୁ ଜନତା ଦଳ ପକ୍ଷରୁ ନିରାଡ଼ମ୍ବରରେ ଜୟନ୍ତୀ ପାଳନ ହେବ । ସବୁ ନିର୍ବାଚନମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ଆଦର୍ଶରେ ପରିଚାଳିତ ବିଜୁ ଜନତା ଦଳର ସଫଳ ଯାତ୍ରା ସଂପର୍କରେ ଆଲୋଚନା କରାଯିବ । ଏଥିସହିତ ମାର୍ଚ୍ଚ ୮ରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯିବ ।

ମହିଳା ସଶକ୍ତିକରଣ ଦିଗରେ ବିଜେଡି ସରକାରଙ୍କ ପ୍ରତିବଦ୍ଧତା ଓ ଏଦିଗରେ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବ । ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଅବସରରେ ବିଜୁ ଜନତା ଦଳ ତରଫରୁ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଶା ବିକାଶ ଯାତ୍ରାର ଉପଲବ୍ଧି ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରାଯିବ । ବିଜୁ ବାବୁଙ୍କ ଜନ୍ମ ଦିବସରେ ବିଜୁ ଜନତା ଦଳର ପ୍ରତ୍ୟେକ ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ସହିତ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ନିମନ୍ତେ ପ୍ରତିବଦ୍ଧ ହେବା ପାଇଁ ଆହ୍ଵାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।