ବିଧାନସଭାରେ ରେଭେନ୍ସା ଝଡ଼
ଆଜି ବିଧାନସଭାରେ ପୁଣି ରେଭେନ୍ସା ପ୍ରସଙ୍ଗ ଉଠିଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ରେଭେନ୍ସା ନାମ ବଦଳାଇବା ପ୍ରସ୍ତାବକୁ ବିରୋଧ କରିଥିଲେ। ବିଜେପି ସଭ୍ୟମାନେ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଶୂନ୍ୟକାଳରେ ବିଜେଡି ସଭ୍ୟ ବ୍ୟୋମକେଶ ରାୟ କହିଥିଲେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ନାମ ପରିବର୍ତ୍ତନ ନେଇ ମତ ରଖିଛନ୍ତି। ଇତିହାସକୁ ବିକୃତ କରିବାକୁ ଚେଷ୍ଟା କରାଯାଉଛି ବୋଲି ମତପ୍ରକାଶ ପାଉଛି। ରେଭେନ୍ସା ବିଶ୍ବବିଦ୍ୟାଳୟ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ। ଓଡ଼ିଶାରେ ଶିକ୍ଷାର ପ୍ରସାର ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ରେଭେନ୍ସାଙ୍କ ଅବଦାନକୁ ଲକ୍ଷ୍ୟ ଫକୀର ମୋହନ ସେନାପତି ତାଙ୍କୁ ପ୍ରଶଂସା କରିଥିଲେ। ତତ୍କାଳୀନ ବିଶିଷ୍ଟ ଓଡ଼ିଆମାନେ ରେଭେନ୍ସାଙ୍କ ନାମରେ ସେହି ଅନୁଷ୍ଠାନକୁ ନାମିତ କରିବାକୁ ପ୍ରସ୍ତାବ ରଖିଥିଲେ। ଏବେ ନାମ ବଦଳାଇବା କଥା ଉଠିବାରୁ ଛାତ୍ର ଆନ୍ଦୋଳନ ତୀବ୍ର ହେଲାଣି। ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ରଖନ୍ତୁ। ଶାରଦା ଜେନା କହିଥିଲେ, ଗୋଟିଏ ଅନୁଷ୍ଠାନର ନାମ ବଦଳାଇଲେ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ହେବନି। ଅଯଥାରେ ଅଶାନ୍ତ ପରିବେଶ ସୃଷ୍ଟି କରାଯାଉଛି। କେନ୍ଦ୍ର ମନ୍ତ୍ରୀଙ୍କର ବ୍ୟକ୍ତିଗତ ମତ କିଛି ନଥାଏ। ଏହା ସରକାରଙ୍କ ମତ ବୋଲି ଧରିବାକୁ ହେବ। କଂଗ୍ରେସ ସଭ୍ୟ ସୋଫିଆ ଫିର୍ଦୋସ କହିଲେ, ନାମ ପରିବର୍ତ୍ତନକୁ ହାଲକା ଭାବେ ନିଆ ନଯାଉ। ଏମିତି ପ୍ରସ୍ତାବ ଦେଇ ଶାସକ ଦଳ ରେଭେନ୍ସାର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ କଟକବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି। ରେଭେନ୍ସାର କ୍ୟାମ୍ପସ୍-୨କୁ ପୂର୍ଣ୍ଣାଙ୍ଗ କରିବାକୁ ପଦକ୍ଷେପ ନିଆଯାଉ। ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ଦିଅନ୍ତୁ। ଶାସକ ଦଳ ସଭ୍ୟ ଟଙ୍କଧର ତ୍ରିପାଠୀ ଏହାର ପ୍ରତିବାଦ କରି କହିଥିଲେ, ରେଭେନ୍ସା ନାମ ପରିବର୍ତ୍ତନ ଉପରେ ବିତର୍କ ପାଇଁ କେନ୍ଦ୍ର ମନ୍ତ୍ରୀ ମତ ରଖିଥିଲେ। ତାହାକୁ ରାଜ୍ୟବାସୀ ଗ୍ରହଣ କରିନେଇଛନ୍ତି। ନଅଙ୍କ ଦୁର୍ଭିକ୍ଷରେ କାହା ପାଇଁ ଲକ୍ଷ ଲକ୍ଷ ଲୋକ ମରିଥିଲେ, ତାହାକୁ ଚିନ୍ତା କରିବାକୁ ପଡ଼ିବ। ଓଡ଼ିଶାର ଅନେକ ବରପୁତ୍ର ଅଛନ୍ତି। ସେମାନଙ୍କ ନାମରେ ନାମିତ କରିବାରେ ଅସୁବିଧା କ’ଣ? ଏହା ଉପରେ ବୌଦ୍ଧିକ ତର୍କ ହେବାର ଆବଶ୍ୟକତା ରହିଛି। ଈରାଶିଷ ଆଚାର୍ଯ୍ୟ କହିଥିଲେ, ଭିନ୍ନମତ ଗଣତନ୍ତ୍ରର ସୌନ୍ଦର୍ଯ୍ୟ। କେନ୍ଦ୍ର ମନ୍ତ୍ରୀ ଏହି ପ୍ରସଙ୍ଗରେ ତର୍ଜମା ପାଇଁ କହିଥିଲେ। ଏଥିରେ ଅସୁବିଧା କ’ଣ? ଓଡ଼ିଆମାନେ ଉତ୍ସାହ ହୀନ ଓ ଅଳସୁଆ ବୋଲି କହିଥିଲେ ରେଭେନ୍ସା। କେନ୍ଦ୍ର ମନ୍ତ୍ରୀ ଗୃହରେ ସଦସ୍ୟ ନୁହନ୍ତି। ତାଙ୍କ ବିଷୟରେ ଗୃହରେ ଆଲୋଚନା କରା ନଯାଉ।