ଜମ୍ମୁ କାଶ୍ମୀରରେ ଲଗାତାର ବର୍ଷା ଜାରି,ଆଜିଠାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଲା ପ୍ରଶାସନ

ଜମ୍ମୁ କାଶ୍ମୀରରେ ଲଗାତାର ବର୍ଷା ଜାରି ରହିଛି । ଅମରନାଥ ଯାତ୍ରାକୁ ସ୍ଥଗିତ କରିବା ପରେ ଆଜିଠାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ପାଗ ସ୍ବାଭାବିକ ଏବଂ ରାସ୍ତା ସୁରକ୍ଷିତ ବୋଲି ବିବେଚିତ ହେବା ପରେ ହିଁ ତୀର୍ଥଯାତ୍ରା ପୁଣି ଆରମ୍ଭ ହେବ ।

ଭାରତ ପାଣିପାଗ ବିଭାଗ ୧୯ରୁ ୨୩ ଜୁଲାଇ ମଧ୍ୟରେ ଜମ୍ମୁ କାଶ୍ମୀରରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀମାନଙ୍କୁ ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ତୀର୍ଥଯାତ୍ରାରେ ନ ଯିବାକୁ ଏବଂ କେବଳ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଅନୁରୋଧ କରାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା ବୋଲି ଅଧିକାରୀମାନେ କହିଛନ୍ତି । ଖରାପ ପାଗ ସତର୍କତାକୁ ଦୃଷ୍ଟିରେ ରଖି, ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶ୍ରୀ ମାତା ବୈଷ୍ଣୋଦେବୀ ଯାତ୍ରା କିଛି ସମୟ ପାଇଁ ସ୍ଥଗିତ ରଖାଯିବ ବୋଲି ସ୍ପଷ୍ଟ କରିଛନ୍ତି ଜଣେ ଜମ୍ମୁ ଅଧିକାରୀ । ଏଥିସହ ତୀର୍ଥଯାତ୍ରା ପୁନଃ ଆରମ୍ଭ ହେବା ସମ୍ପର୍କରେ ସୂଚନା ପାଇଁ ତୀର୍ଥଯାତ୍ରୀମାନଙ୍କୁ ସରକାରୀ ଗଣମାଧ୍ୟମ ସହିତ ଅପଡେଟ୍ ରହିବାକୁ ପ୍ରଶାସନ ଅନୁରୋଧ କରିଛି ।

Leave a comment