ଥାଇଲ୍ୟାଣ୍ଡ ଯାତ୍ରା ସମୟରେ ଆବଶ୍ୟକ ଦସ୍ତାବିଜ,ଆର୍ଥିକ ସାମର୍ଥ୍ୟର ପ୍ରମାଣ ଏବଂ ଭିସା ସମ୍ପର୍କିତ ନିୟମ ପାଳନ କରିବାକୁ ଭାରତୀୟ ଯାତ୍ରୀଙ୍କୁ ପରାମର୍ଶ

ଥାଇଲ୍ୟାଣ୍ଡ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବ୍ୟାଙ୍କକସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଯାତ୍ରା ସମ୍ପର୍କିତ ପରାମର୍ଶ ଜାରି କରାଯାଇଛି। ଥାଇଲ୍ୟାଣ୍ଡରେ ପ୍ରବେଶ ସମୟରେ ଆବଶ୍ୟକ ଦସ୍ତାବିଜ, ଆର୍ଥିକ ସାମର୍ଥ୍ୟର ପ୍ରମାଣ ଏବଂ ଭିସା ସମ୍ପର୍କିତ ନିୟମ ପାଳନ କରିବାକୁ ଭାରତୀୟ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଦୂତାବାସର ପରାମର୍ଶ ଅନୁଯାୟୀ, ଥାଇଲ୍ୟାଣ୍ଡରେ ପହଞ୍ଚିବା ଦିନଠାରୁ ପାସପୋର୍ଟର ବୈଧତା ଅତି କମରେ ୬ ମାସ ରହିବା ଆବଶ୍ୟକ। ଯାତ୍ରୀମାନେ ନିଜ ସହ ନିଶ୍ଚିତ ଫେରସ୍ତ ବିମାନ ଟିକେଟ୍‌, ହୋଟେଲ ବୁକିଂର ପ୍ରମାଣ ଏବଂ ଯାତ୍ରା ସମ୍ପର୍କିତ ସ୍ପଷ୍ଟ ବିବରଣୀ ରଖିବାକୁ କୁହାଯାଇଛି।ଥାଇଲ୍ୟାଣ୍ଡରେ ପ୍ରବେଶ ପୂର୍ବରୁ ଥାଇଲ୍ୟାଣ୍ଡ ଡିଜିଟାଲ୍ ଆରାଇଭାଲ୍ କାର୍ଡ (TDAC) ପୂରଣ କରିବା ଆବଶ୍ୟକ ବୋଲି ପରାମର୍ଶରେ ଉଲ୍ଲେଖ ରହିଛି। ଯାତ୍ରା ପୂର୍ବରୁ ଏହି ପ୍ରକ୍ରିୟା ସମ୍ପନ୍ନ କରି ଆବଶ୍ୟକ ତଥ୍ୟ ଦାଖଲ କରିବାକୁ ଯାତ୍ରୀଙ୍କୁ କୁହାଯାଇଛି।ପ୍ରବେଶ ସୁବିଧା ବ୍ୟବହାର କରୁଥିବା ଯାତ୍ରୀମାନେ ପ୍ରତି ବ୍ୟକ୍ତି ଅତି କମରେ ୨୦,୦୦୦ ଥାଇ ବାଥ୍‌ ନଗଦ ରଖିବାକୁ ପରାମର୍ଶରେ କୁହାଯାଇଛି। ଥାଇ ଇମିଗ୍ରେସନ କର୍ତ୍ତୃପକ୍ଷ ଆବଶ୍ୟକତା ଅନୁଯାୟୀ ଆର୍ଥିକ ସାମର୍ଥ୍ୟର ପ୍ରମାଣ ମାଗିପାରନ୍ତି।ଗୋଷ୍ଠୀ କିମ୍ବା ପରିବାର ସହ ଯାତ୍ରା କରୁଥିଲେ ମଧ୍ୟ ପ୍ରତ୍ୟେକ ଯାତ୍ରୀ ନିଜ ନିଜ ପାସପୋର୍ଟ ଓ ଆବଶ୍ୟକ ଦସ୍ତାବିଜ ନିଜ ପାଖରେ ରଖିବାକୁ କୁହାଯାଇଛି।ଚାକିରି କିମ୍ବା ନିଯୁକ୍ତି ଉଦ୍ଦେଶ୍ୟରେ ଥାଇଲ୍ୟାଣ୍ଡ ଯାଉଥିବା ଭାରତୀୟମାନଙ୍କୁ ପର୍ଯ୍ୟଟକ ଭାବେ ପ୍ରବେଶ କରିବାକୁ ମନା କରାଯାଇଛି। ନିଯୁକ୍ତି ପାଇଁ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଯାତ୍ରା ପୂର୍ବରୁ ବୈଧ କାର୍ଯ୍ୟ ଭିସା ହାସଲ କରିବାକୁ ପଡ଼ିବ। ଦୂତାବାସର ଏହି ପରାମର୍ଶ ଭାରତୀୟ ଯାତ୍ରୀଙ୍କୁ ଇମିଗ୍ରେସନ ସମୟରେ ଅନାବଶ୍ୟକ ସମସ୍ୟାରୁ ରକ୍ଷା କରିବା ସହ ଥାଇଲ୍ୟାଣ୍ଡର ପ୍ରବେଶ ନିୟମକୁ ସଠିକ୍‌ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଜାରି କରାଯାଇଛି।

Leave a comment