ପ୍ରାୟ ୧୦ ବର୍ଷ ପରେ ନିଜର ଲୋଗୋ ବଦଳାଇ ଟ୍ରୋଲ ହେଲା ଇନଷ୍ଟାଗ୍ରାମ୍

ଇନଷ୍ଟାଗ୍ରାମ୍ ପ୍ରାୟ ୧୦ ବର୍ଷ ପରେ ନିଜର ଲେଖା ଲୋଗୋ ବା ୱାର୍ଡମାର୍କକୁ ବଦଳାଇଛି । ନୂଆ ଡିଜାଇନକୁ ଅଧିକ କ୍ଲିୟର୍ ଏବଂ ମଡର୍ନ୍ କରିବାକୁ କମ୍ପାନୀ ଚେଷ୍ଟା କରିଛି । କିନ୍ତୁ ନୂଆ ଡିଜାଇନ୍ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଟ୍ରୋଲିଂ ଆରମ୍ଭ ହୋଇଛି ।

କିଛି ୟୁଜର୍ ନୂଆ ଡିଜାଇନକୁ ପସନ୍ଦ କରିଛନ୍ତି । ଆଉ କିଛି ଲୋକଙ୍କୁ ଏଥିରେ ପୁରୁଣା ଇନଷ୍ଟାଗ୍ରାମର ଲୁକ୍ ଦେଖାଯାଉନାହିଁ । ଏପରିକି କିଛି ଲୋକ ମଜାରେ ଏହାକୁ ‘ଇନଷ୍ଟାଗ୍ଜାମ୍’ (Instagzam) ବୋଲି କହିବା ଆରମ୍ଭ କରିଛନ୍ତି । ତେବେ ଏଠାରେ ଏକ କଥା ସ୍ପଷ୍ଟ କରିବା ଜରୁରୀ । ଇନଷ୍ଟାଗ୍ରାମ୍ ଏଥର ନିଜର ପୂରା ଆପ୍ ଆଇକନ୍ ବଦଳାଇନାହିଁ । ବରଂ ଇନଷ୍ଟାଗ୍ରାମ୍ ନାମ ଲେଖାଯାଉଥିବା ୱାର୍ଡମାର୍କରେ ପରିବର୍ତ୍ତନ ହୋଇଛି । ପ୍ରାୟ ଏକ ଦଶନ୍ଧି ଧରି ଇନଷ୍ଟାଗ୍ରାମ୍ ନାମଟି ଏକ ବିଶେଷ କର୍ସିଭ୍ ବା ହାତରେ ଲେଖା ଭଳି ଷ୍ଟାଇଲରେ ଦେଖାଯାଉଥିଲା । ଏବେ କମ୍ପାନୀ ଏହି ଷ୍ଟାଇଲରେ ପରିବର୍ତ୍ତନ ଆଣିଛି । ନୂଆ ୱାର୍ଡମାର୍କରେ ପୁରୁଣା କର୍ସିଭ୍ ଷ୍ଟାଇଲ୍ ଏବଂ ସାଧାରଣ ପ୍ରିଣ୍ଟ ଅକ୍ଷରର ମିଶ୍ରଣ ଦେଖିବାକୁ ମିଳୁଛି । କମ୍ପାନୀ କହିଛି, ଏହାକୁ ଅଧିକ ଷ୍ଟାଇଲ୍ ଓ ମଡର୍ନ୍ କରାଯାଇଛି । କିନ୍ତୁ ପୁରୁଣା ଡିଜାଇନର ଝଲକ ମଧ୍ୟ ରଖାଯାଇଛି ।

ଇନଷ୍ଟାଗ୍ରାମର ମୁଖ୍ୟ ଆଡମ୍ ମୋସେରି କହିଛନ୍ତି, ଆପର ଉପରେ ଦେଖାଯାଉଥିବା ୱାର୍ଡମାର୍କ ପ୍ରାୟ ୧୦ ବର୍ଷ ଧରି ବଦଳାଯାଇନଥିଲା । ତେଣୁ ଏବେ ଏହାକୁ ରିଫ୍ରେଶ୍ କରିବାର ସମୟ ଆସିଗଲା । କିନ୍ତୁ ନୂଆ ଡିଜାଇନ୍ ଆସିବା ପରେ ଇଣ୍ଟରନେଟରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖାଯାଉଛି । କିଛି ଲୋକ ଏହାକୁ କ୍ଲିୟର୍ ଓ ମଡର୍ନ୍ ବୋଲି କହୁଛନ୍ତି ତ ଆଉ କିଛି ଲୋକ ପୁରୁଣା ଡିଜାଇନକୁ ଅଧିକ ଭଲ ବୋଲି କହିଛନ୍ତି । ରେଡିଟରେ ମଧ୍ୟ ନୂଆ ୱାର୍ଡମାର୍କକୁ ନେଇ ଚର୍ଚ୍ଚା ଚାଲିଛି ।

ଅନେକ ୟୁଜର୍ ଏହାକୁ ନେଇ ମିମ୍ କରୁଥିବା ବେଳେ ‘ଇନଷ୍ଟାଗ୍ରାମ’ ନାମଟି ମଧ୍ୟ ଚର୍ଚ୍ଚାରେ ରହିଛି । ମନେ ପକାଇଦେବା ଭଳି କଥା ହେଉଛି, ୨୦୧୬ରେ ଇନଷ୍ଟାଗ୍ରାମ୍ ନିଜର ଭିଜୁଆଲ୍ ଡିଜାଇନରେ ବଡ଼ ପରିବର୍ତ୍ତନ ଆଣିଥିଲା । ସେହି ସମୟରେ କ୍ୟାମେରା ଆଇକନକୁ ଅଧିକ ସିମ୍ପଲ୍ ଓ ରଙ୍ଗୀନ କରାଯାଇଥିଲା । ସେବେଠାରୁ ପୁରୁଣା କର୍ସିଭ୍ ୱାର୍ଡମାର୍କ ଇନଷ୍ଟାଗ୍ରାମର ପରିଚୟର ଏକ ବଡ଼ ଅଂଶ ହୋଇଯାଇଥିଲା । ତେଣୁ ଏବେ କେବଳ ଅକ୍ଷରର ଷ୍ଟାଇଲ୍ ବଦଳିଥିଲେ ମଧ୍ୟ ଲୋକଙ୍କୁ ଏହା ଏକ ବଡ଼ ପରିବର୍ତ୍ତନ ଭଳି ଲାଗୁଛି ।

ତେବେ ଇନଷ୍ଟାଗ୍ରାମ୍ ଏଥର ପୂରା ଲୋଗୋ କାହିଁକି ବଦଳାଇନାହିଁ? ଏହାର ମୁଖ୍ୟ କାରଣ ହେଉଛି ବ୍ରାଣ୍ଡ୍ର ପରିଚୟକୁ ବଜାୟ ରଖିବା । ଇନଷ୍ଟାଗ୍ରାମର କ୍ୟାମେରା ଆଇକନ୍ ଆଜି ବି ଏହାର ସବୁଠାରୁ ବଡ଼ ପରିଚୟ ମଧ୍ୟରୁ ଗୋଟିଏ । ସେଥିପାଇଁ ଏହାକୁ ପୂରା ରିବ୍ରାଣ୍ଡିଂ ନକହି, ଏକ ଡିଜାଇନ୍ ରିଫ୍ରେଶ୍ ବୋଲି କୁହାଯାଇପାରେ । ଏବେ ନୂଆ ୱାର୍ଡମାର୍କକୁ ନେଇ ଲୋକଙ୍କ ପ୍ରତିକ୍ରିୟା କିପରି ରହୁଛି, ତାହା ଦେଖିବା ବାକି ରହିଛି ।

Leave a comment