ଓଡ଼ିଶାରେ 4G ନେଟୱର୍କର ମହାଅଭିଯାନ , ଜମି ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ଜରୁରୀ ନିର୍ଦ୍ଦେଶ

ଓଡ଼ିଶାରେ 4G ନେଟୱର୍କର ମହାଅଭିଯାନ ।  ଜମି ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ଜରୁରୀ ନିର୍ଦ୍ଦେଶ ।  କୋଣ ଅନୁକୋଣରେ ଡିଜିଟାଲ୍ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି ।  ରାଜ୍ୟର ୭୦୭ଟି ନୂଆ ସ୍ଥାନରେ 4G ମୋବାଇଲ୍ ଟାୱାର ପ୍ରତିଷ୍ଠା ପାଇଁ ସରକାରୀ ଜମିର NOC ଜରୁରୀକାଳୀନ ଭିତ୍ତିରେ ଜାରି କରିବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ।

ଏହି ସମ୍ପର୍କରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।  ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ଅଧୀନରେ ଥିବା ‘ଡିଜିଟାଲ୍ ଭାରତ ନିଧି’ ପାଣ୍ଠି ସହାୟତାରେ ଏହି ‘4G ସାଚୁରେସନ୍ ପ୍ରୋଜେକ୍ଟ’ କାର୍ଯ୍ୟକାରୀ ହେଉଛି ପ୍ରକଳ୍ପ ଅଧୀନରେ ପ୍ରତ୍ୟେକ ମୋବାଇଲ୍ ଟାୱାର ନିର୍ମାଣ ପାଇଁ ପ୍ରାୟ ୨୦୦୦ ବର୍ଗଫୁଟ ଜମିର ଆବଶ୍ୟକତା ରହିଛି ।

ଏହି ନିର୍ଦ୍ଦେଶନାମା ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ରାୟଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଭଳି ୨୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ପଠାଯାଇଛି।

ବର୍ତ୍ତମାନ ସୁଦ୍ଧା ୨୯୪ ସ୍ଥାନ ପାଇଁ NOC ଜାରି ସରିଥିବା ବେଳେ ସେଠାରେ କାମ ଦ୍ରୁତଗତିରେ ଚାଲିଛି। ବାକି ରହିଥିବା ସ୍ଥାନଗୁଡ଼ିକରେ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ତୁରନ୍ତ ସରକାରୀ ଜମି ଚିହ୍ନଟ କରି ଭାରତ ସଞ୍ଚାର ନିଗମ ଲିମିଟେଡ୍ କୁ ଯୋଗାଇଦେବାକୁ କୁହାଯାଇଛି। ଟାୱାର ତିଆରି କାମ ଶୀଘ୍ର ଆରମ୍ଭ ହେବା ଉପରେ ଗୁରୁତ୍ବ ଦିଆଯାଇଛି ।

Leave a comment