ଫ୍ଲିପକାର୍ଟ ଆପ୍‌ରେ ଜିନିଷ କିଣିବା ସହିତ ମନପସନ୍ଦର ଖାଦ୍ୟ ଅର୍ଡର କରିବାର ସୁବିଧା ମିଳିବ

ଭାରତରେ ଯଦି ଅନଲାଇନ୍ ସପିଂ କଥା ଆସେ ତେବେ ପ୍ରଥମେ ଫ୍ଲିପକାର୍ଟର ନାଁ ଆସେ । ମୋବାଇଲ୍ ଫୋନ୍‌ଠାରୁ ଆରମ୍ଭ କରି ଡ୍ରେସ୍ ଓ ଘରୋଇ ଜିନିଷ ପର୍ଯ୍ୟନ୍ତ ଅନେକ ଜିନିଷ କିଣିବା ପାଇଁ ଗ୍ରାହକ ଏହି ପ୍ଲାଟଫର୍ମ ଉପରେ ଭରସା କରିଥାଆନ୍ତି । ଏବେ ଗ୍ରାହକଙ୍କ ପାଇଁ ଆଉ ଏକ ନୂଆ ସୁବିଧା ଆଣିବାକୁ କମ୍ପାନୀ ପ୍ଲାନ କରୁଛି । ଖୁବ୍‌ଶୀଘ୍ର ଫ୍ଲିପକାର୍ଟ ଆପ୍‌ରେ ଜିନିଷ କିଣିବା ସହିତ ମନପସନ୍ଦର ଖାଦ୍ୟ ଅର୍ଡର କରିବାର ସୁବିଧା ମିଳିବ । ଅର୍ଥାତ୍‌ ଏଣିକି ସପିଂ ସହ ବିରିୟାନି, ପିଜା ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଅର୍ଡର କରିପାରିବେ ଗ୍ରାହକ ।

ଫ୍ଲିପକାର୍ଟ ଅନଲାଇନ୍ ଫୁଡ୍ ଡେଲିଭରି ବ୍ୟବସାୟରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ କମ୍ପାନୀ ‘ଇଟ୍-ଇନ୍ ବାଏ ମିନିଟ୍ସ’ ନାମରେ ଏକ ନୂଆ ସେବା ଆରମ୍ଭ ହୋଇପାରେ । ବର୍ତ୍ତମାନ ଏହି କ୍ଷେତ୍ରରେ ସ୍ୱିଗି ଓ ଜୋମାଟୋର ପ୍ରମୁଖ ସ୍ଥାନ ରହିଛି । ତେଣୁ ଫ୍ଲିପକାର୍ଟର ଏଣ୍ଟ୍ରି ପରେ ଫୁଡ୍ ଡେଲିଭରି ବଜାରରେ ପ୍ରତିଯୋଗିତା ଆହୁରି ବଢ଼ିବାର ସମ୍ଭାବନା ରହିଛି । କମ୍ପାନୀ ବେଙ୍ଗାଲୁରୁରେ ଏହି ସେବାର ପରୀକ୍ଷଣ ଆରମ୍ଭ କରିଛି । ଅକ୍ଟୋବର ଶେଷ ସୁଦ୍ଧା ସାଧାରଣ ଗ୍ରାହକଙ୍କ ପାଇଁ ଏହା ଉପଲବ୍ଧ ହୋଇପାରେ । ତେବେ ଏନେଇ କମ୍ପାନୀ ପକ୍ଷରୁ ଅଫିସିଆଲ ଭାବେ ଲଞ୍ଚ୍ ଡେଟ୍ ଘୋଷଣା କରାଯାଇନାହିଁ । ନୂଆ ସେବାକୁ ସାଧାରଣ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପୂର୍ବରୁ ଏହାର ସଫଳତା ଓ କାର୍ଯ୍ୟପ୍ରଣାଳୀ ଯାଞ୍ଚ କରିବାକୁ କମ୍ପାନୀ ଚାହୁଁଛି । ଏଥିପାଇଁ ପ୍ରଥମେ କିଛି ବଛା କର୍ମଚାରୀଙ୍କୁ ଏହି ସୁବିଧା ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ପ୍ରାୟ ୮ ହଜାର କର୍ମଚାରୀ ଏବେ ଏହି ସେବା ବ୍ୟବହାର କରୁଛନ୍ତି । ଖାଦ୍ୟ ଅର୍ଡର, ପେମେଣ୍ଟ୍ ଏବଂ ଡେଲିଭରି ପ୍ରକ୍ରିୟାରେ କୌଣସି ସମସ୍ୟା ରହିଛି କି ନାହିଁ ତାହା ପରୀକ୍ଷା କରାଯାଉଛି । ଯାହାଦ୍ୱାରା ସେବାର ବ୍ୟାପକ ଶୁଭାରମ୍ଭ ପୂର୍ବରୁ ଟେକ୍ନିକାଲ ତ୍ରୁଟିଗୁଡ଼ିକୁ ସୁଧାରିବା ସମ୍ଭବ କରିବ । ଏହି ସେବାର ସବୁଠାରୁ ବଡ଼ ସୁବିଧା ହେଉଛି, ଖାଦ୍ୟ ଅର୍ଡର କରିବା ପାଇଁ ଗ୍ରାହକଙ୍କୁ ଆଉ କୌଣସି ନୂଆ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବନାହିଁ । ଫ୍ଲିପକାର୍ଟର ମେନ୍ ଆପ୍‌ରେ ଖାଦ୍ୟ ଅର୍ଡର ପାଇଁ ଏକ ସ୍ୱତନ୍ତ୍ର ଟ୍ୟାବ୍ ରହିପାରେ । ଫଳରେ ଗୋଟିଏ ଆପ୍‌ରୁ ଅନଲାଇନ୍ ସପିଂ, ଗ୍ରୋସରି ଏବଂ ମନପସନ୍ଦର ଖାଦ୍ୟ ଅର୍ଡର କରିବାର ସୁବିଧା ମିଳିପାରିବ ।

ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଫ୍ଲିପକାର୍ଟ ନିଜ ପ୍ଲାଟଫର୍ମରେ ବଡ଼ ବ୍ରାଣ୍ଡ ସହ ସ୍ଥାନୀୟ ରେଷ୍ଟୁରାଣ୍ଟଗୁଡ଼ିକୁ ମଧ୍ୟ ସାମିଲ କରିବାକୁ ପ୍ଲାନ କରୁଛି । ଏହା ସହିତ, ସରକାରଙ୍କ ସମର୍ଥନରେ ପରିଚାଳିତ ଓଏନ୍‌ଡିସି (ONDC) ନେଟୱାର୍କ ମାଧ୍ୟମରେ ରେଷ୍ଟୁରାଣ୍ଟଗୁଡ଼ିକୁ ଯୋଡ଼ିବା ଉପରେ ମଧ୍ୟ କମ୍ପାନୀ କାମ କରୁଛି । ଏହାଦ୍ୱାରା ଗ୍ରାହକଙ୍କୁ ଅଧିକ ଖାଦ୍ୟ ଅର୍ଡର କରିବାର ଅପ୍ସନ ମିଳିପାରିବ । ସେହିପରି, ଖାଦ୍ୟ ଠିକ୍ ସମୟରେ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ ଫ୍ଲିପକାର୍ଟ ନିଜର ଲଜିଷ୍ଟିକ୍ସ ୟୁନିଟ୍ ଏକାର୍ଟ (Ekart)ର ସହାୟତା ନେଇପାରେ । ତେବେ ସାଧାରଣ ପାର୍ସଲ୍ ଡେଲିଭରି ଓ ଗରମ ଖାଦ୍ୟର ଡେଲିଭରି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ଡେଲିଭରି କରିବା ପାଇଁ ଏକ ସ୍ୱତନ୍ତ୍ର ଡେଲିଭରି ଟିମ୍ ଗଠନ କରିବା ଉପରେ କମ୍ପାନୀ କାମ କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ଫୁଡ୍ ଡେଲିଭରି ବଜାରରେ ସ୍ୱିଗି ଓ ଜୋମାଟୋର ଗୁରୁତ୍ବ ଅଧିକ ରହିଛି । ଏହି ପ୍ଲାଟଫର୍ମଗୁଡ଼ିକରେ ଗ୍ରାହକଙ୍କୁ ଡେଲିଭରି ଚାର୍ଜ ଓ ପ୍ଲାଟଫର୍ମ ଫି ଦେବାକୁ ପଡ଼ିଥାଏ । ତେଣୁ ଫ୍ଲିପକାର୍ଟର ଏଣ୍ଟ୍ରି ପରେ ନୂଆ ଅଫର୍, ଡିସକାଉଣ୍ଟ ଏବଂ ପ୍ରତିଯୋଗିତାମୂଳକ ଦରର ସୁଯୋଗ ମିଳିପାରେ । ହେଲେ ଏନେଇ ଏବେଠାରୁ କିଛି ନିଶ୍ଚିତ କୁହାଯାଇପାରିବ ନାହିଁ ।

ବେଙ୍ଗାଲୁରୁରେ ପରୀକ୍ଷଣ ପରେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ଆଉ ପାଞ୍ଚରୁ ଛଅଟି ପ୍ରମୁଖ ସହରରେ ଏହି ସେବା ଆରମ୍ଭ ହୋଇପାରେ । ତେବେ ଫ୍ଲିପକାର୍ଟର ଏହି ନୂଆ ପଦକ୍ଷେପକୁ ଗ୍ରାହକ କେତେ ପସନ୍ଦ କରୁଛନ୍ତି ଏବଂ ଏହା ସ୍ୱିଗି ଓ ଜୋମାଟୋକୁ କେତେ ମାତ୍ରାରେ ଟକ୍କର ଦେଇପାରୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Leave a comment