ସିଂହଦ୍ୱାର ସମ୍ମୁଖରେ ତିନି ରଥ

ମେଟ୍ରୋ ଟିଭି ଓଡିଶା (୯.୭.୨୦୨୨)

ବାହୁଡ଼ିଲେ ତିନିଠାକୁର। ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ। ଶନିବାର ସନ୍ଧ୍ୟାରେ ମାଉସୀ ମା’ଙ୍କ ପାଖରୁ ପୋଡ଼ପିଠା ଖାଇ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଜନ୍ମବେଦୀର ଲୀଳା ସାରି ବାହୁଡ଼ିଛନ୍ତି।ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ଠାକୁରଙ୍କ ପହଣ୍ଡି କରାଯାଇଥିଲା।

ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ରଥରେ ବିରାଜିଥିଲେ। ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ଦିନ ପ୍ରାୟ ସାଢ଼େ ଗୋଟାଏରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା। ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କର ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। କିଛିି ସମୟ ପାଇଁ ମାଉସୀ ମା’ଙ୍କ ମନ୍ଦିର ଆଗରେ ରଥ ଅଟକିଥିଲା। ସେଠାରେ ପୋଡ଼ପିଠା ଖାଇ ତିନିଠାକୁର ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ।