ମେଟ୍ରୋ ଟିଭି ଓଡିଶା (୨୮.୬.୨୦୨୨)
ଦିନ କେଇଟା ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା | ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାମ ପହଞ୍ଚିଛି । ସୋମବାର ପ୍ରତ୍ୟେକ ରଥରେ ପାର୍ଶ୍ୱଦେବତାଙ୍କୁ ସ୍ଥାପନ କରାଯାଇ ରଥରେ ପ୍ରଥମେ ଶିଖରଡମ୍ୱରୁ ଲଗାଯାଇଛି । ମଙ୍ଗଳବାର ରଥରେ ଠେକରାବାଡ଼ ବୁଲିବ । ଚିତ୍ରକାରମାନେ ପ୍ରଭାରେ ରଙ୍ଗ କାର୍ଯ୍ୟ ସାରିଛନ୍ତି । କୋଠସୁଆଁସିଆ ସେବକମାନେ ରଥରେ କନା ମଣ୍ଡଣୀ କରି ପିତ୍ତଳ ସାଜ ଲଗାଇବେ ।

ପ୍ରଭା ସ୍ଥାପନ ପରେ ଚକା ସିଂହାସନ ପଡ଼ିଲେ ରଥ ନିର୍ମାଣ କାର୍ଯ୍ୟ ସରିବ । ଏବେ ରଥ ଉପରେ ଠାକୁରମାନଙ୍କ ସିଂହାସନ କାମ ଜାରି ରହିଛି । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିଂହାସନ ବୁଜିଛନ୍ତି । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠଶେଣୀ ରଖିଥିଲେ । ତା’ଉପରେ ପଟା ପଡ଼ି ସିଂହାସନ ପରିଛା ପଡିଲା । ଏହାପରେ ପଟା ପଡି ଚକା ପଡିବ। ଚକାବେଦିରେ ଠାକୁରେ ବସିବେ। ବେଦି ପଛପଟେ ରହିବ ପ୍ରଭା । ପ୍ରଥମେ ବିଶ୍ୱକର୍ମାମାନେ ପ୍ରଭାକାମ ସାରିଥିଲେ। ରୂପକାରମାନେ ସେଥିରେ କୀର୍ତ୍ତିମୁଖ ଓ ଉଭୟପାଶ୍ୱର୍ରେ ମଗରମୁଣ୍ଡ କରିଛନ୍ତି। ଏହାପରେ ଚିତ୍ରକାର ସେବକମାନେ ସେଥିରେ ରଙ୍ଗ ଦେଇଛନ୍ତି। ସିଂହାସନ ଉପରେ କନକମୁଣ୍ଡି କାମ କରାଯାଇଛି । କନକମୁଣ୍ଡିରେ ପିତ୍ତଳ ଚାଦର ବୁଲିବ । ରଥରେ କଣଫାଉଡା ଲଗାଯାଇଛି । ସେଥିରେ ମଣ୍ଡଣୀ ବାଉଁଶ ଲଗାଯିବ। ଏହାଯୋଗୁ ରଥ ହୃଷ୍ଟପୁଷ୍ଠ ଲାଗିବ। ରଥରେ ଧ୍ୱଜବତା ଲଗାସରିଛି । ଅଶ୍ୱ ଲାଗିବା ପାଇଁ ଇଶ ଓ ଜୁଆଳି ପ୍ରସ୍ତୁତ ହୋଇଛି । ପୂର୍ବରୁ ରଥ ସମ୍ମୁଖରେ ଚାରପରିଛା କାଠ ଲାଗିଛି। ଏହା ଉପରେ ଦୁଇଟି ଇଶ ଲାଗିବ । ତାପରେ ଇଶର ବେକରେ ଜୁଆଳି ଲାଗିବ । ଜୁଆଳିରେ ଅଶ୍ୱଙ୍କୁ ଲଗାଯିବ । ରଥ ଚାରିପଟେ ଠେକରାବାଡ ଲାଗିବ । ରଥକାମ ଶେଷ ହେବା ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗିବ । ରଥର କନା ମଣ୍ଡଣୀକାମ ସରିବାପରେ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ । ଏହାପରେ ରଥଖଳାରୁ ତିନିରଥକୁ ଟଣାଯାଇ ସିଂହଦ୍ୱାରଠାରେ ପହଞ୍ଚାଯିବ ।