ରାସ୍ତା ନାହିଁ ତ ଭୋଟ ନାହିଁ : ଶୋଚନୀୟ ଅବସ୍ଥାରେ କୁମ୍ଭାରୀ –ଭୋଇଟ୍ରିକା ରାସ୍ତା

ରାସ୍ତା ନାହିଁ ତ ଭୋଟ ନାହିଁ : ଶୋଚନୀୟ ଅବସ୍ଥାରେ କୁମ୍ଭାରୀ –ଭୋଇଟ୍ରିକା ରାସ୍ତା

ମେଟ୍ରୋ ଟିଭି ଓଡିଶା,୬/୨ : ରାସ୍ତା ନାହିଁ ତ ଭୋଟ ବି ନାହିଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଭୋଇଟିକ୍ରା ଗ୍ରାମବାସୀ । ବରଗଡ଼ କେନାଲ ଡିଭିଜନ ଅଧିନରେ ଥିବା କୁମ୍ଭାରୀ-ଭୋଇଟିକ୍ରା ୩ କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ୨୦ବର୍ଷ ପରେ ବି ରାସ୍ତାକୁ ପକ୍କା ସଡ଼କ କରାଯାଇନାହିଁ । ରାସ୍ତା ମରାମତି ନାଁରେ ବହୁ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେଣୁ ଏଥର ପଞ୍ଚାୟତ ନିର୍ବାଚନରେ ରାସ୍ତା ସମସ୍ୟାର ସମାଧାନ ନ ହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ଗ୍ରାମ ସଭାରେ ନିଷ୍ପତ୍ତି ନେଇ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ସେପଟେ ରାସ୍ତା ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବା ସହ ଗ୍ରାମବାସୀଙ୍କୁ ଭୋଟ ଦେବାକୁ ବୁଝାଯିବ ବୋଲି ବରଗଡ଼ ଉପଜିଲ୍ଲାପାଳ କହିଛନ୍ତି ।

YouTube player

ବରଗଡ଼ ଜିଲ୍ଲା ବରପାଲି ବ୍ଳକ କୁମ୍ଭାରୀ ପଞ୍ଚାୟତ ଅଧିନରେ ରହିଛି ଭୋଇଟିକ୍ରା ଗାଁ । ଗୋଟିଏ ଓ୍ବାର୍ଡ଼ ବିଶିଷ୍ଟ ଏହି ଗାଁରେ ପ୍ରାୟ ୬୦୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଭୋଟର ସଂଖ୍ୟା ୨୧୫ ରହିଛି । ପନିପରିବା ଓ ଧାନ ଚାଷ ପାଇଁ ଗାଁଟି ପ୍ରସିଦ୍ଧ ଲାଭ କରିଛି । ଭୋଇଟିକ୍ରା ଗାଁରୁ କୁମ୍ଭାରୀ ଯାଏ ୩ କିଲୋମିଟର ରାସ୍ତା ସଂଯୋଗ ରହିଛି । ରାସ୍ତାଟି ବରଗଡ଼ କେନାଲ ଡିଭିଜନ ଅଧିନରେ ରହିଛି । ବିଗତ ୧୦ବର୍ଷ ଧରି ଗ୍ରାମବାସୀ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ବିଜେପୁର ବିଧାୟିକା, ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।

ଗତଥର ବିଧାନସଭା ଓ ପଞ୍ଚାୟତ ନିର୍ବାଚନ ବେଳେ ରାସ୍ତାକୁ ପକ୍କା ସଡ଼କ ନିର୍ମାଣ କରାଯିବ ବୋଲି ଦୃଢ଼ ଆଶ୍ବାସନା ଦିଆଯାଇଥିଲା । ହେଲେ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ସବୁ ଫେଲ ମାରିଛି । କୁମ୍ଭାରୀ-ଭୋଇଟିକ୍ରା ରାସ୍ତା କେବେ ପକ୍କା ସଡ଼କ ହେବ ତାକୁ ନେଇ ପ୍ରଶ୍ନ ଉଠିଛି । କୁମ୍ଭାରୀ-ଭୋଇଟିକ୍ରା ରାସ୍ତା ମରାମତି ନାଁରେ ବଡ଼ ଘୋଟାଲା । ବରଗଡ଼ କେନାଲ ଡିଭିଜନର ଅଧିକାରୀ, କନିଷ୍ଠ ଯନ୍ତ୍ରୀଙ୍କ ସହ ଠିକାଦାର ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ଭୋଇଟିକ୍ରା ଗ୍ରାମବାସୀ ।

ବର୍ଷ ବର୍ଷ ଧରି ଏକମାତ୍ର ମୁଖ୍ୟ ରାସ୍ତାଟି ମରଣାଯନ୍ତା ପାଲଟିଛି । ତେଣୁ ଏଥର ପଞ୍ଚାୟତ ନିର୍ବାଚନରେ ରାସ୍ତା ସମସ୍ୟାର ସମାଧାନ କରାନଗଲେ ଗ୍ରାମବାସୀ ସମ୍ପୂଣ୍ଣ ଭାବେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଭୋଟ ବର୍ଜନ ପାଇଁ ଗାଁରେ ଲଗାଯାଇଛି ବ୍ୟାନର ଓ ପୋଷ୍ଟର । ଭୋଟ ବର୍ଜନ ଖବର ଶୁଣିବା ପରେ ଗ୍ରାମବାସୀଙ୍କୁ ବୁଝାଇବା ପାଇଁ ଏବେ ଗାଁକୁ ନେତାଙ୍କ ସୁଅ ଛୁଟୁଛି । ସେପଟେ ରାସ୍ତା ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ଏବଂ ବରପାଲି ବିଡିଓଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ତଲବ କରିବା ସହ ଗ୍ରାମବାସୀଙ୍କୁ ଭୋଟ ଦେବାକୁ ବୁଝାଯିବ ବୋଲି ବରଗଡ଼ ଉପଜିଲ୍ଲାପାଳ କହିଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମବାସୀଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ କଣ ପଦକ୍ଷେପ ନେବେ, ଗ୍ରାମବାସୀଙ୍କୁ ଭୋଟ ଦେବାକୁ ବୁଝାଇବାରେ ପ୍ରଶାସନ ସଫଳ ହେବ କି ନାହିଁ ତାହା ଦେଖିବାକୁ ସମସ୍ତଙ୍କ ନଜର ରହିଛି ।

ଋିର୍ପୋଟ -ପ୍ରଦୀପ କୁମାର ମହାନ୍ତି , ମେଟ୍ରୋ ଟିଭି ଓଡିଶା