ରଥଯାତ୍ରାର ଉତ୍ପତ୍ତି: ଜାଣନ୍ତୁ ପୌରାଣିକ କାହାଣୀ

ମେଟ୍ରୋ ଟିଭି ଓଡିଶା (୧.୭.୨୦୨୨)

ଆଷାଢ଼ର ମେଘମେଦୁର ଆକାଶକୁ ସକ୍ରୃଷ୍ଣ ନୟନରେ ପ୍ରତୀକ୍ଷା କରି ରହିଥାଏ ଉକ୍ରଳ ଭୂଇଁ । ଏହି ଆଷାଢ଼ ମାସ ହିଁ ତା ପାଇଁ ଏକମାତ୍ର ଗର୍ବ ଓ ଗୌରବର ସମୟ । ଏହି ସମୟରେ ଉକ୍ରଳର ପ୍ରାଣକେନ୍ଦ୍ର ଓ ତା’ର ଧର୍ମପ୍ରାଣ ସନ୍ତାନମାନଙ୍କର ପରମ ଆରାଧ୍ୟ ଦେବତା ଜଗନ୍ନାଥ ରଥୋପବିଷ୍ଟ ହୋଇ ତା’ର ପରମ ପବିତ୍ର ରଥଯାତ୍ରା ଆଷାଢ଼ ମାସର ଶୁକ୍ଳ ଦ୍ୱିତୀୟା ତିଥିରେ ସୁସମ୍ପନ୍ନ ହୁଏ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ପବିତ୍ର ପୁରୀର ବଡ଼ଦାଣ୍ଡ ଉପରେ ମହାପ୍ରଭୁଙ୍କ ନନ୍ଦିଘୋଷ ଗଡ଼ିଚାଲେ ଘର୍ଘର ଘୋଷରେ । ଆଗରେ ଗଡ଼ିଚାଲେ ବଡ଼ଭାଇ ବଳଦେବଙ୍କ ତାଳଧ୍ୱଜ ଓ ଭଗ୍ନୀ ସୁଭଦ୍ରାଙ୍କ ଦେବଦଳନ । ସମବେତ ଭକ୍ତ ଓ ଦର୍ଶକଙ୍କ ହୃଦୟ ଆତ୍ମତୃପ୍ତିରେ ପରିପୂର୍ଣ୍ଣ ହୋଇଯାଏ ।

ରଥଯାତ୍ରାର ଉତ୍ପତ୍ତି ସମ୍ବନ୍ଧରେ ପୌରାଣିକ ମତଦାନ ଅନୁଯାୟୀ ଏହା ସୟଂ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶ ଅନୁସାରେ ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀଜଗନ୍ନାଥ ଶବରରାଜ ବିଶ୍ୱାବସୁଙ୍କଦ୍ୱାରା ନୀଳଗିରି କନ୍ଦରରେ ରହି ନୀଳମାଧବ ନାମରେ ପୂଜା ପାଉଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କ ସହାୟତାରେ କୌଶଳକ୍ରମେ ଜଗନ୍ନାଥଙ୍କୁ ଚୋରାଇଆଣି ପୁରୀର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ । ଶବରାଜବିଶ୍ୱାବସୁ ତାଙ୍କ ଆରାଧ୍ୟ ନୀଳମାଧବଙ୍କ ଦର୍ଶନ ବିନା ଜୀବନଧାରଣ କରିପାରିବେ ନାହିଁ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟରେ ଗୁହାରି କଲେ, ମାତ୍ର ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ ତାଙ୍କର ଜଗନ୍ନାଥରୂପୀ ନୀଳମାଧବ ଏବେ ଅଦୃଶ୍ୟ ।ଏହା ବ୍ୟତୀତ ଶବର ନିମ୍ନଜାତି ସମ୍ପନ୍ନ ହୋଇଥିବାରୁ ଶ୍ରୀମନ୍ଦିରରେ ତାଙ୍କ ଦର୍ଶନ ସମ୍ଭବ ନୁହେଁ । ଭକ୍ତ ବିଶ୍ୱାବସୁଙ୍କ ହୃଦୟର ଆବେଦନ ଶ୍ରୀଜଗନ୍ନାଥ ଗ୍ରହଣ କରି ଧର୍ମପ୍ରାଣ ରାଣୀ ଗୁଣ୍ଡିଚାଙ୍କୁ ସପ୍ନାଦେଶରେ ରଥଯାତ୍ରା ଉତ୍ସବ ବିଧାନ ନିମନ୍ତେ ନିର୍ଦ୍ଦେଶ ଦେଲେ । ଯାହାଫଳରେ ବିଶ୍ୱାବସୁ ସମେତ ଜାତି ବର୍ଣ୍ଣ ନିର୍ବିଶେଷରେ ଆଚଣ୍ଡାଳବ୍ରାହ୍ମଣ ସମସ୍ତେ ତାଙ୍କର ଦର୍ଶନର ସୁବିଧା ଲାଭ କରି ଆତ୍ମସନ୍ତୋଷ ଲାଭ କରିପାରିବେ । ରଥାରୂଢ଼ ହୋଇ ସେ ସମସ୍ତଙ୍କ ପାପ ନାଶନ ନିମନ୍ତେ ବଡ଼ଦାଣ୍ଡକୁ ବାହାରି ଆସିବେ ଏକ ପବିତ୍ର ରଥୋତ୍ସବରେ । ସେହିଦିନଠାରୁ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଆଷାଢ଼ ମାସର ଶୁକ୍ଳଦ୍ୱିତୀୟା ତିଥିରେ ସୁସମ୍ପନ୍ନ ହୋଇଆସୁଛି ।

ଶ୍ରୀଜଗନ୍ନାଥ ହେଉଛନ୍ତି କେବଳ ଉକ୍ରଳର ନୁହେଁ, ସମଗ୍ର ଭାରତୀୟ ସଂସ୍କୃତିର ପ୍ରାଣପିଣ୍ଡ । ସେ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ପ୍ରତୀକ । ରଥଯାତ୍ରା ମାନବତାର ଜୟଯାତ୍ରା । ଏହି ରଥଯାତ୍ରାର ଶୁଭାରମ୍ଭ ପ୍ରତିବର୍ଷ ପରମ୍ପରାକ୍ରମେ ଚୈତ୍ର ମାସର ଅକ୍ଷୟତୃତୀୟା ତିଥିରେ ଯଜ୍ଞାଦି ବିଧିବିଧାନ ପୂର୍ବକ ସମ୍ପନ୍ନ ହୋଇଥାଏ । ତିନିଠାକୁରଙ୍କ ରଥ ତିଆରି ଏହିଦିନ ଆରମ୍ଭ ହୁଏ । ପ୍ରଭୁ ଜଗନ୍ନାଥଙ୍କ ରଥର ନାମ ‘ନନ୍ଦିଘୋଷ’ ଓ ସାରଥି ‘ମାଳତି’, ସେହିପରି ପ୍ରଭୁ ବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’ ଓ ସାରଥି ‘ପ୍ରଦ୍ୟୁମ୍ନ’ ଓ ଦେବୀ ସୁଭଦ୍ରାଙ୍କ ରଖର ନାମ ‘ଦେବଦଳନ’ ଓ ସାରଥି ନାମ ‘ଅର୍ଜୁନ’ । ରଥଯାତ୍ରା ଦିନ ତିନିଠାକୁର ରଥକୁ ପହଣ୍ଡି ବିଜେ କରିସାରିବା ପରେ ପରମ୍ପରାକ୍ରମେ ପୁରୀର ଗଜପତି ମହାରାଜା ଠାକୁରଙ୍କ ପ୍ରତମ ସେବକ ରୂପେ ରଥର ସୁନାଖଡ଼ିକାଦ୍ୱାରା ଛେରାପହଁରା କାର୍ଯ୍ୟ କରିଥାନ୍ତି । ତ’ପରେ ତିନିଠାକୁରଙ୍କ ରଥଟଣା କାର୍ଯ୍ୟ ସମ୍ପନ୍ନ ହୁଏ ପୁରୀ ବଡ଼ଦାଣ୍ଡରେ ।ଜନସମୁଦ୍ର ଭିତରେ ରଥାରୂଢ଼ ତିନି ଠାକରଙକ୍ ରଥଯାତ୍ରା ଅବଲୋକନ ଯେ ନ କରିଛି, ସେ କେବେହେଲେ ଏହି ରଥଯାତ୍ରାର ମାହାତ୍ମ୍ୟ ଉପଲବ୍ଧି କରି ପାରିବନି । ରଥଯାତ୍ରାକୁ ଧର୍ମଯାତ୍ରା, ନନ୍ଦିଘୋଷଯାତ୍ରା, ପତିତପାବନ ଯାତ୍ରା, ଜୟଯାତ୍ରା, ଇତ୍ୟାଦି ନାମରେ ନାମିତ କରାଯାଇଛି । ସମଗ୍ର ଭାରତବର୍ଷରେ ଏକତ୍ୱ, ମୈତ୍ରୀ, ସଦ୍ଭାବ ସୃଷ୍ଟିକରି ସମଗ୍ର ବିଶ୍ୱ ଜୀବନରେ ଶାନ୍ତି, ପ୍ରତି ତଥା ହୃଦୟତାର ସ୍ପର୍ଶ ଆଣିବା ଏହି ରଥଯାତ୍ରାର ଆଭିମୁଖ୍ୟ ।