ରଜରେ ଭିଯିବ ଓଡିଶା

ମେଟ୍ରୋ ଟିଭି ଓଡିଶା (୧୨.୬.୨୦୨୨)

ଚାଷୀମାନଙ୍କ ପାଇଁ ଖୁସି ଖବର । ଖୁବ୍‌ ଶୀଘ୍ର ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଗତ କିଛି ଦିନ ହେବ ସାରା ରାଜ୍ୟରେ ଲାଗି ରହିଥିବା ପ୍ରବଳ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିବ

ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ,ସମ୍ଭବତଃ ରଜ ଭିତରେ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପହଞ୍ଚିବା ନେଇ ପାଗ ମଧ୍ୟ ଅନୁକୂଳ ରହିଛି । ଏବେ ମୌସୁମୀ ବାୟୁ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଛୁଇଁ ସାରିଲାଣି । ତେବେ ଯଦି ଆସନ୍ତା ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଏଁ ତେବେ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପକ୍ଷରେ ରବିବାର ଠାରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାକୁ ଥିବାବେଳେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବ । ଶନିବାର ଠାରୁ ରାଜ୍ୟର କିଛି ଜିଲ୍ଲାରେ ତାତି କମିବା ସହ ପାଗ ବଦଳିବା ଲକ୍ଷ୍ୟ କରାଯାଇଛି ।ଆକାଶ ମେଘାଚ୍ଛନ୍ନ ରହିବା ସହିତ ଗୁଳୁଗୁଳି ହ୍ରାସ ପାଇଛି । କିଛି ଜିଲ୍ଲାରେ ଝିିପିଝିିପି ବର୍ଷା ମଧ୍ୟ ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ କାଳବୈଶାଖୀ ସକ୍ରିୟ ରହିଛି । ବିଭିନ୍ନ ଜିଲ୍ଳାରେ ଘଡ଼ଘଡ଼ି ବିଜୁଳି ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।ସୂଚନାଯୋଗ୍ୟ ଯେ, ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ନାହିଁ ବୋଲି ୨ ଦିନ ପୂର୍ବେ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର କୁମାର ଜେନାମଣୀ ସୂଚନା ଦେଇଥିଲେ । ସେ କହିଥିଲେ, ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁଲାଣି । ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି । ଦକ୍ଷିଣ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ଆନ୍ଧ୍ର୍ରଦେଶର କିଛି ଅଞ୍ଚଳରେ ୫ ଦିନ ଭିତରେ ମୌସୁମୀ ଛୁଇଁବ ବୋଲି ଶ୍ରୀ ଜେନାମଣୀ କହିଥିଲେ ।