ମେଟ୍ରୋ ଟିଭି ଓଡିଶା (୧.୭.୨୦୨୨)
ଆଜି ଲୋକାରଣ୍ୟ ବଡଦାଣ୍ଡ। ଘଣ୍ଟାଘଣ୍ଟ,ହୁଳହୁଳି ହରିବୋଲରେ କମ୍ପୁଛି ଚାରିଦିଗ। ଆଗରେ ବଡଭାଇ,ସୁନା ଭଉଣୀ ପଛରେ ଯାଉଛନ୍ତି ମହାପ୍ରଭୁ ଜଗତରନାଥ ଜଗନ୍ନାଥ। ତାଳଧ୍ୱଜ ଓ ଦର୍ପଦଳନରେ ପରେ ବଡଦାଣ୍ଡରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ।ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ। ରଥରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ନନ୍ଦିଘୋଷ ।ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଛି ।


ଭୋରରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ସକାଳୁ ସକାଳୁ ଗୋଟି ପହଣ୍ଡିରେ ରଥରେ ବିଜେ କରିଥିଲେ ଚକ୍ରରାଜ ସୁଦର୍ଶନ । ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇ ତାଳଧ୍ୱଜ ରଥରେ ବିଜେ କରିଥିଲେ । ପରେ ପରେ ଭଉଣୀ ସୁଭଦ୍ରାଙ୍କୁ ସେବାୟତ ମାନେ ହାତରେ ଝୁଲାଇ ଝୁଲାଇ ଦର୍ପଦଳନରେ ବିଜେ କରାଇଥିଲେ । ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଥିଲେ ।୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।