ମେଟ୍ରୋ ଟିଭି ଓଡିଶା (୨୬.୬.୨୦୨୨)
ଓଡ଼ିଶାରେ ଅନେକ ଶୈବପୀଠ ଥିଲେ ମଧ୍ୟ ଧବଳେଶ୍ୱର ଶୈବପୀଠ ଅନ୍ୟତମ । କଟକ ମହାନଦୀ କୂଳରେ ଥିବା ଏକ କ୍ଷୁଦ୍ର ଦ୍ୱୀପରେ ଅବସ୍ଥିତ ଏହି ଶୈବପୀଠର ମହିମା ଅଲୌକିକ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ରହିଥିବା ଏହି ଶୈବପୀର ରହସ୍ୟ ଭିନ୍ନ । ଦୂର ଦୂରାନ୍ତରରୁ ଅନେକ ଶ୍ରଦ୍ଧାଳୁ ବାବା ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ଧାଇଁ ଆସିଥାନ୍ତି । ଏହି ଶୈବପୀଠଟି ଦ୍ୱୀପରେ ଅବସ୍ଥିତ ଥିବାରୁ ପର୍ଯ୍ୟଟକମାନେ ଆକର୍ଷିତ ହୋଇଥାନ୍ତି । ଧବଳେଶ୍ୱରର ଅର୍ଥ ହେଉଛି ଧବଳ ଈଶ୍ୱର ଅର୍ଥାତ ଧଳା ରଙ୍ଗର ଭଗବାନ । ସେହିପରି ମନ୍ଦିରର ନାମକରଣକୁ ନେଇ ପୁରାଣରେ ଅନେକ କଥା ବର୍ଣିତ ଅଛି । ତେବେ ଆସନ୍ତୁ ଜାଣିବା ମନ୍ଦିରର ନାମକରଣର କଣ ରହିଛି ରହସ୍ୟ ।

ଲୋକକଥା ଅନୁସାରେ ମହାଦେବ ଏକ କଳା ବଳଦକୁ ଧଳା କରି ଦେଇଥିଲେ ପରେ ଏହି କିମ୍ବଦନ୍ତୀ ଅନୁସାରେ ମହାଦେବ ବାବା ଧବଳେଶ୍ୱର ଭାବେ ଖ୍ୟାତ ହୋଇଥିଲେ । ବିଶ୍ୱାସ କରାଯାଏ ଯେ ଥରେ ଜଣେ ଚୋର ଏକ କଳା ବଳଦ ଚୋରି କରି ଆଣି ଏହି ଦ୍ୱୀପରେ ଲୁଚି ରହିଥିଲା । ଗାଁ ଲୋକମାନେ ବଳଦ ଚୋରି ହୋଇଥିବା ଜାଣିବା ପରେ ଚୋରଟିକୁ ଖୋଜିବା ଆରମ୍ଭ କରି ଦେଇଥିଲେ । ଲୋକଙ୍କ ମାଡ଼ ଭୟରେ ଚୋରଟି ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଥିଲା । ଚୋର ନିଜ ଜୀବନ ବଞ୍ଚାଇବା ପାଇଁ ଭଗବାନ ଶିବଙ୍କୁ ଆକୁଳ ନିବେଦନ କରୁଥିବା ସମୟରେ ମହାଦେବ ଏକ ସନ୍ୟାସୀ ରୂପରେ ଗାଁ ଲୋକଙ୍କ ନିକଟରେ ଉଭା ହୋଇଥିଲେ ।ସନ୍ୟାସୀ ରୂପୀ ଶିବ ଲୋକମାନଙ୍କୁ ରାଗିବାର କାରଣ ପଚାରିବାରୁ ଲୋକମାନେ ତାଙ୍କ କଳା ବଳଦ ଚୋରି ହୋଇଥିବା ସନ୍ୟାସୀଙ୍କୁ ଜଣାଇଥିଲେ । ଚୋରଟିକୁ ମଧ୍ୟ ସେମାନେ ଖୋଜୁଥିବା ପ୍ରକାଶ କରିଥିଲେ । ଏହା ପରେ ସନ୍ୟାସୀ ଜଣକ ପାଖରେ କୌଣସି କଳା ବଳଦ ନଥିବା ଗାଁ ଲୋକମାନଙ୍କୁ କହିଥିଲେ । କିନ୍ତୁ ନିକଟରେ ଏକ ଧଳା ବଳଦ ଚରୁ ଥିବାର ସନ୍ୟାସୀ ରୂପି ବାବା ଶଙ୍କର ଲୋକମାନଙ୍କୁ ଦେଖାଇଥିଲେ । ଲୋକମାନେ ମଧ୍ୟ ଧଳା ରଙ୍ଗର ବଳଦ ଚରୁଥିବାର ଦେଖି ଏହା ତାଙ୍କ ଚୋରି ବଳଦ ନୁହେଁ ବୋଲି ବିଶ୍ୱାସ କରିଥିଲେ । ଲୋକମାନେ ବଳଦ ଦେଖୁଥିବା ସମୟରେ ହିଁ ସନ୍ୟାସୀ ଜଣକ ଅର୍ନ୍ତଧାନ ହୋଇ ଯାଇଥିଲେ । ଏହା ପରେ ଭୟରେ ଥିବା ଚୋର ଲୁଚି ରହିଥିବା ସ୍ଥାନରୁ ବାହାରି ଆସିଥିଲା କିନ୍ତୁ କଳା ବଳଦ ଧଳା ହୋଇଯିବା ଘଟଣା ତାକୁ ଆଶ୍ଚଯ୍ୟ ଲାଗିବାରୁ ସେ ସାହସ ସଞ୍ଚୟ କରି ଗାଁ ଲୋକଙ୍କୁ ସମସ୍ତ ସତ କଥା କହିଥିଲା । ଭଗବାନ ନୀଳକଣ୍ଠ ତାର ପ୍ରର୍ଥନାକୁ ସ୍ୱୀକାର କରି ଏହି କଳା ବଳଦକୁ ଧଳା କରି ଦେଇଥିବା ଗାଁ ଲୋକଙ୍କ ନିକଟରେ ପ୍ରକାଶ କରିଥିଲା । ଏହି ଘଟଣା ପର ଠାରୁ ମହାଦେବଙ୍କୁ ବାବା ଧବଳେଶ୍ୱର ଭାବେ ପୂଜା କରାଗଲା ।
ସେହିପରି ଅନ୍ୟ ଏକ ଲୋକକଥା ଅନୁସାରେ ଦେବରାଜ ଇନ୍ଦ୍ର ନାମୁଚିକି ନାମକ ଏକ ବ୍ରହ୍ମ ରାକ୍ଷସକୁ ହତ୍ୟା କରିଥିଲେ । ଏହି ପାପରୁ ମୁକ୍ତି ପାଇବା ପାଇଁ ମହାନଦୀରେ ସ୍ନାନ ସାରି ଦେବରାଜ ଇନ୍ଦ୍ର ମହାଦେବଙ୍କୁ ସ୍ଥାପନା କରି ପୂଜା କରିଥିଲେ । ତେଣୁ ବିଶ୍ୱାସ କରାଯାଏ ବାବା ଧବଳେଶ୍ୱର ହେଉଛନ୍ତି ଇନ୍ଦଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଐନ୍ଦ୍ରଲିଙ୍ଗ । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଏହି ପୀଠରେ ଏକ କଳା ବୃକ୍ଷର ରଙ୍ଗ ଧଳା ହୋଇଥିବାରୁ ବାବା ଶଙ୍କର ଧବଳେଶ୍ୱର ନାମରେ ନାମିତ ।ବଡ଼ଓଷା ଧବଳେଶ୍ୱର ପୀଠର ଏକ ମୁଖ୍ୟ ପର୍ବ । ଏହି ପର୍ବରେ ବାବା ଧବଲେଶ୍ୱରଙ୍କୁ ନାଗା ସ୍ୱାନ କରାଯାଇଥାଏ । ନାଗସ୍ନାନରେ ଭୋଲେନାଥଙ୍କୁ ୧୦୦ଥର ଜଳାଭିଷେକ କରାଯାଇଥାଏ । ଏହି ପର୍ବରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଧବଳେଶ୍ୱରର ଶ୍ରାବଣ ଯାତ୍ରା ହେଉଛି ଅନ୍ୟତମ । ବହୁ ଦୂର ଦୂରାନ୍ତରରୁ ବୋଲବମ ଭକ୍ତମାନେ ନିଜର ମନସ୍କାମନା ପୂରଣ ପାଇଁ ଶ୍ରାବଣ ମାସରେ ଏହି ପୀଠକୁ ଆସିଥାନ୍ତି । ସେହିଭଳି ଶୀତଳଷଷ୍ଠୀରେ ଏହି ପୀଠକୁ ଭକ୍ତ ମାନଙ୍କର ସୁଅ ଛୁଟି ଥାଏ । ଏହି ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ବଡ଼ ଧୁମଧାମରେ ପାଳନ କରା ଯାଉଥିବାର ଦେଖିବାକୁ ମିଳେ । ଏହା ବ୍ୟତୀତ ଜାଗର ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।ବାବା ଧବଳେଶ୍ୱର ମନ୍ଦିରରେ ପହଞ୍ଚିବା ପାଇଁ ପାଦଚଲା ଝୁଲନ୍ତା ପୋଲକୁ ପାର କରିବାକୁ ହୋଇଥାଏ । ଏହି ପାଦ ଚଲା ଝୁଲନ୍ତା ପୋଲଟି ଏସିଆର ବୃହତ୍ତମ ପାଦ ଚଲା ଝୁଲନ୍ତା ପୋଲ ଭାବେ ବିବେଚିତ । ୨୦୦୬ ମସିହାରେ ଏହି ଝୁଲନ୍ତା ପୋଲଟି ଲୁହାରେ ନିର୍ମିତ ହୋଇଥିଲା ।