ପୁଅ ହେଲା ପର

ପୁଅ ହେଲା ପର

ମେଟ୍ରୋ ଟିଭି ଓଡିଶା,୧୧/୨ : ହୀରାକୁଦର ହିଣ୍ଡାଲକୋ ଅଫିସର କଲୋନୀରେ ଦୀର୍ଘ ବର୍ଷ ଧରି ରହିଥିବା ଜଣେ ଅମାୟିକ,ସରଳ ଓ ଧର୍ମ ପରାୟଣା ବୃଦ୍ଧା ଶ୍ରୀମତି ସାହୁଙ୍କର ୮୦ ବର୍ଷ ବୟସରେ ବୁଧବାର ଗୋଧୂଳି ବେଳାରେ ପରଲୋକ ହୋଇଯାଇଛି । ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାର୍ଯ୍ୟରତ ସ୍ବାମୀ ଭୁବନ ସାହୁଙ୍କ ୨୦୦୫ ମସିହାରେ ଦେହାନ୍ତ ପରେ ଦୀର୍ଘ ୧୭ବର୍ଷ ଧରି ଝିଅମାନଙ୍କ ଘରେ ପ୍ରତିପାଳିତ ମା’ ଶ୍ରୀମତି ଦେବୀ ସମ୍ବଲପୁର ଗୁଜୁରାତି କଲୋନିର ତିନି ନଂ ଝିଅ ଉର୍ମିଳା,ଜ୍ବାଇଁ ଆଇନଜୀବୀ ପ୍ରହଲ୍ଲାଦ ସାହୁଙ୍କ ଘରେ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ବିଗତ ସାତଦିନ ଧରି ସେ ଶଯ୍ୟାଶାୟୀ ଥାଇ ଘରେ ଚିକିତ୍ସାଧିନ ଥିଲେ ।

ଝିଅ କଲେ ଅନ୍ତିମ ସଂସ୍କାର

ତାଙ୍କର ଶେଷ ସମୟରେ ଛଅ ଝିଅ ସୁଶୀଳା,ନିର୍ମଳା,ଉର୍ମିଳା,ଶର୍ମିଳା,ପ୍ରମିଳା ଓ ସୁନୀଳା ସହ ଜ୍ବାଇଁ ଅଲେଖ ଦାଶ,ପ୍ରହଲ୍ଲାଦ ସାହୁ,ମାଧବାନନ୍ଦ ବେହୁରା,ଦେବେଶ ଧଳ ଓ ବେଣୁଧର ପ୍ରଧାନ ଏବଂ ନାତିନାତୁଣୀମାନେ ଉପସ୍ଥିତ ଥିଲେ । ଆଜି ସକାଳେ ମହାନଦୀର ରାଜଘାଟ ଶ୍ମଶାନରେ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଜଘାଟ ଶ୍ମଶାନ ଘାଟରେ ଅନୁଷ୍ଠିତ ଅନ୍ତେଷ୍ଟି କ୍ରିୟା ପର୍ବରେ ସମ୍ବଲପୁର ଚଷା ସମାଜର ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସହ ବଂଧୁ ସ୍ବଜନ ଓ କୁଟୁମ୍ବ ପରିଜନ ସ୍ବର୍ଗୀୟା ଶ୍ରୀମତି ଦେବୀଙ୍କୁ ଅଶ୍ରୁଳ ବିଦାୟ ଦେଇ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ବିଡମ୍ବନା ଏହି ଯେ’ ସ୍ବର୍ଗୀୟା ଶ୍ରୀମତି ସାହୁଙ୍କର ଏକମାତ୍ର ଉଚ୍ଚ ଶିକ୍ଷିତ ଓ ନାଲକୋ ପରି ନବରତ୍ନ କମ୍ପାନୀରେ ଇଞିନିୟର ଭାବେ ଚାକିରି କରି ଅବସର ନେଇଥିବା ଜଣେ ଧନିକ ପୁଅ ଥିଲେ ବି ଅନେକ ବର୍ଷରୁ ନିଜଠୁ ମା’କୁ ଦୂରେଇ ରଖିଥିଲେ । ଆଜି ଛଅ ଝିଅ ମୃତ ସବାରିକୁ ଉଠାଇ ଶବ ବୋହିବା ସହ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି ।

ଖାଲି ସେତିକି ନୁହେଁ,ଆମରି ସମାଜ ବ୍ୟବସ୍ଥା ଓ କୁଳ ରୀତିମତେ ସମସ୍ତ ଛଅ ଭଉଣୀ ଏକାଠି ମା’ ର ଶୁଦ୍ଧିକ୍ରିୟା ମଧ୍ୟ କରିବାକୁ ସଂକଳ୍ପ ନେଇଛନ୍ତି । ଏହି ଘଟଣାଟି ଆଜିର ଦିନରେ ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଝିଅମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ସାମାଜିକ ଦାୟିତ୍ବବୋଧକୁ ସବୁସ୍ତରର ଲୋକେ ପ୍ରଶଂସା କରିଛନ୍ତି ।
ରିପୋର୍ଟ ମାୟାଧର ମେଟ୍ରୋ ଟିଭି ଓଡିଶା