ଏପଟେ ଗରମ ସେପଟେ ବର୍ଷା

ମେଟ୍ରୋ ଟିଭି ଓଡିଶା (୧୭.୫. ୨୦୨୨)

ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଭୀଷଣ ଗରମର ମାହୋଲ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନର କିଛି ଭାଗରେ ତାପମାତ୍ରା ୪୯ ଡିଗ୍ରୀ ଟପିଲାଣି । ଅନ୍ୟପକ୍ଷରେ ଅସମ, କେରଳରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି । ସେହିପରି ଦେବଭୂମି ଉତ୍ତରାଖଣ୍ଡରେ ଭୂସ୍ଖଳନ ଦେଖିବାକୁ ମିଳିଛି ।

ମୋଟାମୋଟି ଭାବେ କହିବାକୁ ଗଲେ ସମଗ୍ର ଭାରତବର୍ଷରେ ପାଣିପାଗର ଖେଳ ଦେଖିବାକୁ ମିଳିଛି ।କେରଳ ଓ ଅସମରେ ବନ୍ୟା କାରଣରୁ ଜନଜୀବନ ବେହାଲ ହୋଇପଡ଼ିଛି । ଲକ୍ଷ ଲକ୍ଷ ଲୋକ ପାଣି ଘେରରେ ଫସି ରହିଛନ୍ତି । ପାଣିପାଗ ବିଭାଗ ମୁତାବକ, ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ବର୍ଷାର ପ୍ରକୋପ କମିବ ନାହିଁ । ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ଆଖପାଖ ଅଞ୍ଚଳରେ ମାଡ଼ିଯାଇଛି । ଆସନ୍ତା ଦୁଇଦିନ ଦକ୍ଷିଣ-ପଶ୍ଚିମ ମୌସୁମୀ ପଶ୍ଚିମବଙ୍ଗର ଦକ୍ଷିଣ ଅଞ୍ଚଳର କିଛି ଭାଗରେ ପହଞ୍ଚିଯିବ ।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୁତାବକ, ଦେଶର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ବର୍ଷାର ଗତିବିଧି ଜାରି ରହିବାର ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କେରଳ, କର୍ଣ୍ଣାଟକ, ଅସମ, ମେଘାଳୟ, ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବ । ଆସନ୍ତା ୧୯ ତାରିଖରେ ଉତ୍ତର-ପଶ୍ଚିମ ଓ ମଧ୍ୟ-ଭାରତରେ ଗରମ ବୃଦ୍ଧି ପାଇବ ଓ ହିଟୱେଭର ସ୍ଥିତି ରହିବାର ସମ୍ଭାବନା ରହିଛି ।