ମେଟ୍ରୋ ଟିଭି ଓଡିଶା (୧ .୩ .୨୦୨୨) :
ଆଜି ପବିତ୍ର ମହାଶିବରାତ୍ରୀ । ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ତେବେ ରାଜ୍ୟରେ ଏପର୍ଯ୍ୟନ୍ତ କୋଭିଡର ଭୟ କମିନଥିବାରୁ ବିଭିନ୍ନ ଶୈବପୀଠରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଭକ୍ତମାନେ କରୋନା କଟକଣା ମାନି ଦର୍ଶନ କରୁଛନ୍ତି । ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଛି । ଭୋର ୩.୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ ହେଉଛି ।

ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ୱର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଜଳେଶ୍ୱରର ଚନ୍ଦନେଶ୍ୱର, ଭୋଗରାଇର ଭୁଷଣ୍ଡେଶ୍ୱର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ୱର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି । ପୁରୀ ଲୋକନାଥଙ୍କ ପୀଠରେ ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ହେବା ପରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।