ଆଜି ଠାରୁ ଗାଡ଼ି ବୀମା ନଥିଲେ କଟିବ ଇ – ଚାଲାଣ , ଗଣିବେ ଜରିମାନା

ମୋଟର ଯାନରେ ବୀମା ନ ଥିଲେ ଟୋଲ୍‌ ଗେଟ ସ୍ବୟଂକ୍ରିୟ ପ୍ରଣାଳୀରେ ଧରାପଡ଼ିବ। ଇ- ଡିଟେକ୍ସନ ପ୍ରକ୍ରିୟାରେ ଜାରି କରିବ ଇ-ଚାଲାଣ। ଫେବୃଆରୀ ଆଜିଠାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ୍‌ଗେଟରେ ଏହା କାର୍ଯ୍ୟକାରୀ ହେବ। ଏ ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ମୋଟର ଯାନ ଆଇନର
ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ। ଏହାର ଉଲ୍ଲଙ୍ଘନ କଲେ ଧାରା ୧୯୬ ଅନୁଯାୟୀ ୨ ହଜାର ଟଙ୍କା ଜୋରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍‌ କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ସେହିଭଳି ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି। ଅନେକ ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଙ୍ଘନ କରି ବୀମା କରୁନାହାନ୍ତି। ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପା ମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ଇ-ଡିଟେକ୍ସନ ଜରିଆରେ ଚିହ୍ନଟ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛି। ପୂର୍ବରୁ ଇ- ଡିଟେକ୍ସନରେ ପରମିଟ୍‌, ଫିଟ୍‌ନେସ, ଟିକସ ନିୟମ ଉଲ୍ଲଂଘନକାରୀଙ୍କୁ ଟୋଲଗେଟରେ ଚିହ୍ନଟ କରାଯାଉଥିଲା। ଏବେ ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯିବ। ଏହାସହ ଏନଫୋର୍ସମେଣ୍ଟ ଆଧୁନିକ ଜ୍ଞାନକୌଶଳକୁ ଅଧିକ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି।